Unknown

 

 

 

 

 

 

 

 

 

ଉଷା

କବିବର ରାଧାନାଥ ରାୟ

 

ବୃତ୍ତ-ଖଣ୍ଡ କୁମ୍ଭକାମୋଦୀ

(ଯତିର ନିୟମ - ଛ ଅକ୍ଷର, ଛ ଅକ୍ଷର, ପାଞ୍ଚ ଅକ୍ଷର)

 

ଶାଳ୍ମଳୀଶଇଳୁଁ ତିନି ସ୍ଥାନେ ତିନି ତଟିନୀ ଝରେ,

ଲଙ୍ଘି ନାନା ବନ ଜନପଦ ମିଶେ ବଙ୍ଗସାଗରେ ।

ଉତ୍ତରେ ବଳାଙ୍ଗୀ, ମଧ୍ୟେ ଗଙ୍ଗାହାର ଶୋଣ ଦକ୍ଷିଣେ,

ଜଳବେଣୀ-ବର୍ଣ୍ଣେ କୁରଙ୍ଗୀ-ନୟନ-ନୀଳିମା ଜିଣେ ।

ରଜ ତମ ସତ୍ତ୍ୱେ ମିଶିଲା ପରାୟେ ବଳାଙ୍ଗୀ ପଦେ,

ଶୋଣ, ଗଙ୍ଗାହାର ମିଶନ୍ତି ଯେ ଯାହା ନୀର-ସମ୍ପଦେ ।

ତେମୁହାଣୀ ନାମେ ଏହି ସ୍ଥାନ ଏବେ ବିଦିତ ଲୋକେ,

ତଣ୍ଡୀକୁଞ୍ଜେ ଜାୟା ସଙ୍ଗେ ରଙ୍ଗେ ଯହିଁ କ୍ରିଡ଼ନ୍ତି କୋକେ ।

ନିର୍ଭୟେ ନିରତେ ନୀର ଆସ୍ତରଣେ କରନ୍ତି ରଙ୍ଗ,

ବାର ବାର ହୋଇ ଯହିଁ ଭଞ୍ଜଭୂମି ବନ‌ବିହ‌ଙ୍ଗ ।

ତିନି-ନ‌ଦୀ-ଜଳ ନିଜ ପୂଣ୍ୟ ବକ୍ଷେ ବଳାଙ୍ଗୀ ବ‌ହି,

ଯୋଜନାନ୍ତେ ଯାଇ ନିଜେ ମହାସିନ୍ଧୁ-ବକ୍ଷେ ମିଶଇ ।

ଥିଲେ ତାର ତୀରେ ନୁରୁ ନାମେ ରାଜା ମହାପ୍ରତାପୀ,

ପୂଜୁଥିଲେ ଯେହୁ ନ‌ଦୀତୀରେ ଶ୍ୟାମ ପ୍ରତିମା ସ୍ଥାପି ।

ସ୍ୱପ୍ନାଦେଶେ ନ‌‌ଦୀ-ଗର୍ଭୁ ନରପତି ଲଭି ବିଗ୍ରହ,

ଯଥାବିଧି ନୀତି ଚଳାଇବା ପାଇଁ କଲେ ଆଗ୍ରହ ।

ନ‌ଦୀତୀରେ ଦିବ୍ୟ ଦେଉଳ ତୋଳାଇ ତ‌ହିଁ ସ୍ଥାପନା,

କରାଇ ନ‌ଗର-ଅଧିଷ୍ଠାତ୍ରୀ ରୂପେ କଲେ ଅର୍ଚ୍ଚନା ।

ହୋମ ଯାଗ ଆଦି ଅନୁଷ୍ଠାନେ ଦ୍ୱିଜ ହେଲେ ଦୀକ୍ଷିତ,

ବଳି-ଲୋହେ ନୀଳ ବଳାଙ୍ଗୀ ସଲିଳ ହେଲା ଲୋହିତ ।

ଦେବୀଙ୍କ ନିଯୋଗେ ନରବଳୀ ହେଉ-ଥିଲା ଅର୍ପଣ,

ଇତର ପଶୁଙ୍କ କଥା ଅବା କିଏ କରେ ଗ‌ଣନ ?

ଦେବୀଙ୍କ ପ୍ରସାଦେ ରାଜାଙ୍କର ହେଲା ଭାଗ୍ୟ ଉଦୟ,

ଚିର‌-ଶତୃ-କୁଳ ନତ କଲେ ଶିର ହୋଇ ସଭୟ ।

ପାରିଧିରେ ଥିଲେ ବୀରସିଂହ ନୁରୁ ସଦା ଲାଳସୀ,

ପାରିଧି କରନ୍ତି ନିତି ନିତି ଶୈଳ-କାନ୍ତାରେ ପଶି ।

ଚଳ-ଲକ୍ଷ-ଭେଦେ ଅମୋଘ ତାଙ୍କର ଥିଲା ସନ୍ଧାନ,

ଗୁରୁ କରି ତାଙ୍କୁ ମାନୁଥିଲେ ଯେତେ ମୃଗ‌ୟୁମାନ ।

ସର୍ବ ସୁଖେ ଥାଇ ଏକ ସୁଖେ ରାଏ ଥିଲେ ବଞ୍ଚିତ,

ସନ୍ତ‌ତି ବିହୁନେ ନିରନ୍ତର ସେହୁ ଥିଲେ ଚିନ୍ତିତ ।

ଦିନେ ନିଶି-ଯୋଗେ ଦେଖିଲେ ମହିଷୀ ସ୍ୱପ୍ନ ଅଦ୍ଭୁତ,

ଉଲ୍‌କାକାରେ ଉଡ଼ି ଆସିଲା ଆକାଶେ ଜ୍ୟୋତି ବ‌ହୁତ ।

ଜଡ଼ିଗଲା କିବା ଅନମ୍ବର ଶତ‌-ହାବେଳି-ବାଣେ,

ଅଥବା ପଡ଼ିଲା ଶତ ସ୍ୱର୍ଣ୍ଣ-ରେଖା କଷ-ପାଷାଣେ ।

ସବୁ ଜ୍ୟୋତି ମଧ୍ୟେ ବେନି ଜ୍ୟୋତି ଥିଲା ଉଜ୍ଜ୍ୱଳତମ,

ଶାରଦୀୟ ଉଷା-ଶିରୋଭୁଷା ଶୁକ୍ର ତାରକା ସମ ।

ଏକ ଜ୍ୟୋତି ଗଲା ମନୋରଥ-ଗତି ବାୟବ୍ୟ ଦିକେ,

ଅନ୍ୟ ଜ୍ୟୋତି ସମ-ଗତିରେ ଆସିଲା ରାଣୀ ଅନ୍ତିକେ ।

ତ‌ହିଁ ଖର୍ବକାର ଦିବ୍ୟ ନାରୀରୁପ ଦେଖିଲେ ରାଣୀ,

ମର୍ତ୍ତ୍ୟେ କି ସମ୍ଭବେ କେବେ ସେ ଅଦ୍ଭୁତ ଲାବଣ୍ୟ ଠାଣି ?

ପାଶେ ଆସି ଜ୍ୟୋତି ପଲକେ ପଶିଲା ରାଣୀ ଉଦରେ,

ଛନ‌କାରେ ନିଦ୍ରା ତୁଟିଗଲା, ରାଣୀ ଉଠିଲେ ଖରେ ।

ନୃପ ସନ୍ନିଧାନେ ସ୍ୱପନ-ବୃତ୍ତାନ୍ତ କ‌ହିଲେ ଯାଇ,

ଫଳ ଜିଜ୍ଞାସିଲେ ନୃପ ସ୍ୱପ୍ନବିତ-ବୁଧେ ବଖାଣି ।

'ଦିବ୍ୟ କନ୍ୟାଲାଭ' ଫଳ ସ୍ୱପ୍ନବିତ-ବୁଧେ ବଖାଣି,

ବାହୁଡ଼ିଲେ ନୃପ-ଛାମୁରୁ ସରବେ ସୁବର୍ଣ୍ଣପାଣି ।

ଦଶମାସ ଅନ୍ତେ ପ୍ରସବିଲେ ରାଣୀ ଦିବ୍ୟ ଦୁହିତା,

ଉଷାକାଳେ ଜାତ ବୋଲି 'ଉଷା' ନାମ ରଖିଲେ ପିତା ।

ଫଳେ ଦମ୍ପତିର ଦୁଃଖ-ତମିସ୍ରର ହେଲା ସେ ଉଷା,

ଜନନେତ୍ରେ ହେଲା ଲାବଣ୍ୟ ମଞ୍ଜୁଳା ରୂପ-ମଞ୍ଜୁଷା ।

ଇନ୍ଦ୍ରୟୁଧେ ତାର ଅଧ-ବିମ୍ବେ ନଭେ ଯେଉଁ ତୁଳଣା,

ତ‌ହୁଁ ବଳି ଇନ୍ଦୁ-ସଙ୍ଗେ ସୁନ୍ଦରୀର ତୁଳା ଅଲଣା ।

କ୍ରମେ କ୍ରମେ ବାଲ୍ୟ-ସୀମା ଅତିକ୍ରମ କରିଣ ବାଳୀ,

ଦିନୁ ଦିନୁ ହେଲା ନୁରୁ ନୃପତିଙ୍କ ନେତ୍ର ସଙ୍ଖାଳି ।

ଝୁରି ହେଉଥିଲେ ରାୟେ, ଲବେ ସୁତା ହେଲେ ଅନ୍ତର,

ଝୁରେ ଯେହ୍ନେ ଚନ୍ଦ୍ର-କଳା-ଅଦର୍ଶନେ କୁମୁଦାକର ।

ପାରିଧିକି ବିଜେ ହେଲେ ନରବର ଆରୋହି ଦନ୍ତୀ,

କୁମାରୀକି ସଙ୍ଗେ ଅମାରିରେ ଘେନି ବିଜେ ହୁଅନ୍ତି ।

ପ୍ରତିଦିନ ଉଷା ଏହିରୁପେ ଯାଇ ନୃପ ଗ‌ହଣେ,

ଦେଖୁଥାଇ ବନେ ମୃଗୟା-କୌଶଳ ନିବିଷ୍ଟ-ମନେ ।

ଦେଖୁଥାଇ ବନ-ପଶୁ-ପକ୍ଷୀଙ୍କର ଚେଷ୍ଟା ଇଙ୍ଗିତ,

ସାହସ, ସାଧ୍ୱସ,ସ୍ନେହ, ମାୟା ଆଦି ଯହିଁ ସୂଚିତ ।

କୌତୁକେ କାନନେ କଳୁଥାଇ ମନେ ରାଜେନ୍ଦ୍ର-ସୂତା,

ମୃଗୟୁକୁଳର ଦେଶ-କାଳ ଜ୍ଞାନ ହସ୍ତ ଲଘୁତା ।

ନିତି ଦେଖି ରଙ୍ଗ ଏହିରୁପେ ମଞ୍ଚୁ, ହସ୍ତୀ ଉପରୁ,

ମୃଗୟ୍ୟା ଦୁଃଖକୁ ଶ୍ଳାଘ୍ୟ ମଣିଲା ଯେ ଗୃହ ସୁଖରୁ ।

କ୍ରମେ ଯଥାକାଳେ ଛୁଇଁଲା ଛଇଳା ଯୌବନ-ସୀମା,

ଉପମା-ସୃଷ୍ଟିକୁ ବୁଡ଼ାଇ ଦେଲା ତା ରୁପ-ଗରିମା ।

ମରଲୋକେ ତାର ଯୋଗ୍ୟ ପଟାନ୍ତର କାହିଁ ମହିଳା,

ଦିବ୍ୟଲୋକେ ଏକା ସମ୍ଭବେ ସିନା ସେ ଲାବଣ୍ୟଲୀଳା ।

ତରଳ-ତାରକା-ହାରମୟୀ ନାକ-ନାଗରୀ ଟୀକା,

ସମକ୍ଷ ତାହାର ହେଲେ ହେବେ ଶଚୀ, ସ୍ୱର୍ଗ ଚନ୍ଦ୍ରିକା ।

ତରଙ୍ଗ ଦୋଳାରେ ତରଙ୍ଗାୟିତ କିବା ସିନ୍ଧୁ ଦୁଲଣା,

ଲୀଳା-ଅରବିନ୍ଦ-ଧାରିଣୀ ଅମଳ-କମଳାନନା ।

ସ୍ୱଳ୍ପକାଳେ ଶିଳ୍ଫ-କଳାଦିରେ ବାମା ହେଲା କୁଶଳା,

ମାତ୍ର ଶସ୍ତ୍ରଶିକ୍ଷା-ପ୍ରତି ମନ ତାର ସ୍ୱଭାବେ ଗଲା ।

ଅନୁକ୍ଷଣ ଶସ୍ତ୍ର ଶିକ୍ଷା ମୃଗୟାରେ ହେଲା ସେ ରତ,

ସଖା ସଙ୍ଗେ ଶସ୍ତ୍ର-ହସ୍ତେ ଭ୍ରମୁଥାଇ ବନ ପର୍ବତ ।

କେବେ ବିହରଇ ଶାଳରତରୁପୂର୍ଣ୍ଣ ଶୈଳକାନନେ,

କେବେ ଅବା ସିନ୍ଧୁ-ବାୟୁ-ବିଧୁନିତ-ହିନ୍ତାଳବନେ ।

ରଙ୍ଗ କୋବିଦାର ପାଟଳ-ବସନେ ଶୋଭଇ ଧନୀ,

ରଙ୍ଗ ଘନେ ଯେହ୍ନେ ଶୋଭେ ତାର ପ୍ରଭାମୟୀ ମିତଣୀ ।

କେବେ ଅଶ୍ୱପୃଷ୍ଠେ ଭ୍ରମୁଥାଇ ବାଳା ବନ ଶାଦ୍ୱଳ,

ପ୍ଳୁତଗତି ହେତୁ ଗଣ୍ଡେ ଦୋଳୁଥାଇ ସ୍ୱର୍ଣ୍ଣ-କୁଣ୍ଡଳ ।

କେବେ ଧନୁଶର ଶୋଭୁଥାଇ କରେ, ପୃଷ୍ଠେ ନିଷଙ୍ଗ,

କେବେ ସବ୍ୟ କରେ ଫଳ, ସବ୍ୟେତରେ ଅସି ଉଲଙ୍ଗ ।

କେବେ ଶୂଳହସ୍ତେ ସଖୀଦଳେ ଭ୍ରମୁଥାଇ ଛଇଳା,

ପଦ୍ମିନୀ ବାହିନୀ ସଙ୍ଗେ ମହାବଳେ ଯେହ୍ନେ ପ୍ରମୀଳା ।

କନ‌କ-ବଲ୍ଲରୀ ମଧ୍ୟେ କି ବିହରେ ସ୍ଥିର ହ୍ଲାଦିନୀ,

ତାରା-ହଲ୍ଲୀଷକେ କି ଅବା ରୋହିଣୀ ଇନ୍ଦୁ-ମୋହିନୀ ?

ଆନିତମ୍ବ ଲମ୍ବୀ କେଶଗୁଚ୍ଛେ ଶୋଭୁ ଥାଇ ଚରମ,

ଦର୍ଶକ ହୃଦୟେ ଉପୁଜାଇ ନୀଳ ଭୂଜଙ୍ଗୀ ଭ୍ରମ ।

ସ୍ୱର୍ଣ୍ଣ ସାରସନେ କୃଶୋଦରୀ କୃଶ କଟି ଜଡ଼ିତ,

କବଚେ ଆବୃତ ସଞ୍ଚ ଘଞ୍ଚ ସ୍ତନ କଳି ଲଳିତ ।

ଆକର୍ଣ୍ଣ ବିସ୍ତାରୀ ନେତ୍ରେ ଉଠୁଥାଇ ଭାବ ତରଙ୍ଗ,

ତୂଳିରେ ଚିତ୍ରିତ ପ୍ରାୟେ ଚାରୁ ଭୁରୁ କାମ ଶାରଙ୍ଗ ।

ହେଳେ ନେଉଥାଇ ଦେଖଣାହାରୀଙ୍କ ହୃଦୟ ହରି,

ଜଗତ‌ଯୋଷାଙ୍କ ଖୋଷାଭୁଷା ସେହି ଉଷାସୁନ୍ଦରୀ ।

ଥରେ ପଡ଼ିଲେ ସେ ନୟନେ ଜଗତ ନୟନକାରା,

ହେଉଥାଇ ରୂପବତୀ ସ୍ମୃତି ନଭେ ପ୍ରଭାତୀ ତାରା ।

ପ୍ରଦୋଷେ ସଙ୍ଗିନୀ-ବ୍ରାତେ ବିଜେକରି ସୁଚିତ୍ର ପୋତେ,

କରୁଥାଇ ନ‌କ୍ର ସଂହାର ବଳାଙ୍ଗୀ ହରିତ ସ୍ରୋତେ ।

ରଙ୍ଗେ ଆଲୋଡ଼ିଣ ବଳାଙ୍ଗୀ ତରଙ୍ଗ କ୍ଷେପଣୀ ଚଳେ,

ବେନି ତୀରେ ଶ୍ୟାମ ପାଦପ ବଲ୍ଲରୀ ଧାଏଁ ଚଞ୍ଚଳେ ।

କୁସୁମିତ ସ୍ୱର୍ଣ୍ଣକାନ୍ତି ଶଣକ୍ଷେତ୍ର ପଳାନ୍ତି ଖରେ,

ବାମା-ବର୍ଣ୍ଣ-ବିଭା ଚୋରି କରି ଅବା ପଳାନ୍ତି ଡରେ ।

ଠାବେ ଠାବେ ଉଠେ ଶ୍ୱେତ ଶିଳାସ୍ତମ୍ଭ ପ୍ରାୟେ କୁମ୍ଭୀର,

ନ ବୁଡ଼ୁଣୁ ଉଷା ଖର ହସ୍ତେ ବିନ୍ଧେ ତ ଦେହେ ତୀର ।

ବୃଥା ହାଣୁଥିଲା ମୃଗୀ ଅଙ୍ଗେ ବାଣ ସିନା ସୁନ୍ଦରୀ,

ଚାହାଣୀ ଭଙ୍ଗୀରୁ ଥିଲେ ସେହି ଯେଣୁ ଆଗ‌ହୁଁ ମରି ।

ଖଞ୍ଜିବା ଆଗରୁ ଶରାସନେ ଶର ଲୋକେ କରଭ,

ପଳାଉଣଥିଲା ପରିହରି ନିଜ ଉରୁଗରବ ।

ମୁଗ୍‌ଧ ହୋଇ ମୁଗ୍‌ଧା-ଚରଣ-ନୂପୁର-ଶିଞ୍ଜିତ ସ୍ୱନେ,

କୁଜି ରାଜ‌ହଂସେ ଧାଉଁଥିଲେ ପଛେ ପଛେ ଗହ‌ନେ ।

ବନପଶୁ ମନେ ଭ୍ରମ ଜନମିବା ଆଶେ ଲଳନା,

ହରିତ ପଲ୍ଲବେ ତନୁଚ୍ଛଦ କେବେ କରେ ରଚନା ।

ବିଚିତ୍ର ବରଣ ବନମାଳେ ମଣ୍ଡିଥାଏ ମସ୍ତକ,

କର୍ଣ୍ଣେ ପୁଷ୍ପଗୁଚ୍ଛ, ଜିଣଇ କୃତ୍ତିକା-ତାରା ସ୍ତବକ ।

ମାତ୍ର ନ ଆବରେ ଅଧରୌଷ୍ଠ, କର ବନପଶୁରୁ,

ବାରି ତ ନୋହିବ ତାହା ବଣଜାମୁ-ପଲ୍ଲବାଙ୍କରୁ ।

ଶୂଳ ହସ୍ତେ ବନପଶୁଙ୍କୁ ଗୋଡ଼ାଇ ଦୃତ ଚରଣେ,

ଦକ୍ଷ ହେଲା ବଡ଼ ମୃଗାକ୍ଷୀ ମୃଗୟା ଅନୁସରଣେ ।

ସଂସାରେ ତା ସଙ୍ଗେ ଗତି ବେଗେ କେହି ଅ ଥିଲେ ସରି,

କି ଆକୃତି କିବା ଗତିରେ ଥିଲା ସେ ବିଜୁଳି ପରି ।

ଯୁବତୀ ସୁଲଭ ସୌନ୍ଦର୍ଯ୍ୟେ ମିଶିଲା ଶୌର୍ଯ୍ୟ ପ୍ରଖର,

ବେନି ଗୁଣ ମିଳି କଲେ ରମଣୀକି ରୁଦ୍ର ସୁନ୍ଦର ।

ସର୍ବଶୋଭାଧାରୀ ବିମ୍ବାଧରୀଠାରୁ ମାଧୁରୀ ଘେନି,

ବିରୋଧ ପାସୋରି ମଧୁର ମିଳନେ ମିଳିଲେ ବେନି ।

ବିଷମ ପ୍ରତିଜ୍ଞା ମନେ ମନାସିଲା ସୁନ୍ଦରୀସାର,

ଗତିବେଗେ ତାକୁ ଯେ ଜିଣିବ, ହେବ ପତି ସେ ତାର ।

ରାଜାଦେଶେ ଦୀର୍ଘ ରାଜପଥ ରଚି ରାଜପୁରୁଷେ,

ପୁଷ୍ପିତ ପାଦପ ଥୋଇଲେ ସେ ପଥ ବେନି ପାରୁଶେ ।

ବର୍ତ୍ମାରମ୍ଭେ କାଳୀ ପ୍ରତିନିଧି ଚଣ୍ଡୀ ସର୍ବଶୁଭଦା,

ସ୍ଥାପିବାରୁ ସ୍ଥଳୀ ଏବେ ବୋଲାଉଛି ପ୍ରଥମାପଦା ।

ବର୍ତ୍ମାନ୍ତେ ପ୍ରୋଥିତ ହେଲା ଉଚ୍ଚ ସ୍ତମ୍ଭ ରତ୍ନ ଜଡ଼ିତ,

ଅଦ୍ୟାପି ମାଣିକ୍ୟଖମ୍ବ ନାମ ଲୋକେ ଯେଣୁ ପ୍ରଥିତ ।

ସଙ୍ଗେ ଧାଇଁ ଆଗେ ସ୍ତମ୍ଭକୁ ଛୁଇଁବ ଯେ ଯୁବାମଣି,

ସଭାସ୍ଥଳେ ତାକୁ ବରମାଳା ଦେଇ ବରିବ ଧନୀ ।

ହାରିଗଲେ ଶିର-ଚ୍ଛେଦ-ଦଣ୍ଡ ତାର ହେବ ନିଶ୍ଚୟ,

ଟାଣପଣ ଶୁଣି ଭୀରୁ ଜନ ମନ ହେଲା ସଭୟ ।

ଯୁବାବୀରେ ଯେତେ ମାତିଲେ ସମସ୍ତେ ମହାଉତ୍ସାହେ,

ବୀରବିହୁନେ କି ସୁଖ-ମୂଲ୍ୟ କେହି ଦେବାକୁ ଚାହେଁ ?

ଯେ ସୁଖ ଯେସନ ତା ମୂଲ୍ୟ ତେସନ ସିନା ମହୀରେ,

ମୂଲ୍ୟ ଚିହ୍ନି ମୂଲ୍ୟ ଦେବାକୁ କେବଳ ଚିହ୍ନନ୍ତି ବୀରେ ।

କେତେ ରାଜସୁତେ ସାମନ୍ତେ ଆସିଲେ ଛାଡ଼ି ସ୍ୱସ୍ଥଳୀ,

ସ୍ୱୟମ୍ବର ଯଜ୍ଞେ ହୋଇ ଉଷା-ରୁପ-ପିପାସା-ବଳି ।

ଶୀତଳ ରତନ ପ୍ରାୟେ ବିଭାତିଲା ଦୂରୁ ସୁନ୍ଦରୀ,

ଛୁଇଁଲା ବେଳକୁ ହେଲା ସେ ଜ୍ୱଳନ୍ତ ଅନଳ ପରି ।

ଶତ ଶତ ଯୁବା ନାନା ଦେଶୁଁ ଆସି ସେ ନୁରୁପୁରେ,

ଅଙ୍ଗ ଢାଳିଦେଲେ ପତଙ୍ଗ ପରି ସେ ଚିତ୍ରଭାନୁରେ ।

ସ୍ୱୟମ୍ବରେ ଲୋଡ଼ି ତ‌ହିଁ ସେ ଅବନୀ କୁସୁମ-ଝରା,

ଦକ୍ଷିଣ ମଶାଣ ରାଜସୁତେ କଲେ ଲୋହେ ଉର୍ବରା ।

ଭିନ୍ନ ଭିନ୍ନ ଦେଶୁ ଆସିଥିଲେ ଯେତେ ରାଜ-କୁମାର,

ଯଶଃପଟୁ କାଳ ଲିଭାଇ ଦେଇଛି ନାମ ତାଙ୍କର ।

କେଉଁ କେଉଁ ଦେଶ ସେ କଥା କାହାରି ନାହିଁ ତ ଜଣା,

ବିସ୍ମୃତି-ଗରଭୁଁ ଉଦ୍ଧାରି ଆଣୁ ତା କବି କଳ୍ପନା ।

ବୀରକୁଳ ନାମେ ବୀରପରିପୂର୍ଣ୍ଣ ସ୍ଥଳୀ କଥିତ

ପୂଗ-ଷଣ୍ଢ ଯହିଁ ନାଗବଲ୍ଲୀ ଦଳେ ଗାଢ଼େ ଜଡ଼ିତ ।

ହେମଫଳେ ନମ୍ର ଯହିଁ ଲଙ୍କା ଆମ୍ର ପାଦପ‌ପନ୍ତି,

ତୃଷାର୍ତ୍ତ ପଥିକେ ଶାଖାସଞ୍ଚାଳନ-ଛଳେ ଡାକନ୍ତି ।

କୁମାରଦ ଆଦି ସ୍ଥଳୀ ବୀରଦ୍ରୁମ-ନିକୁଞ୍ଜେ ନୀଳ,

ସୁବର୍ଣ୍ଣ ତଟିନୀ ପଟୁସ୍ତରେ ତାର ତନୁ ପଙ୍କିଳ ।

ଭୋଗରାଇ ଯାର ଦିଗନ୍ତବିସ୍ତାରି-ସିକତାରାଶି,

ଶିରେ ଖେଳୁଥିଲା ରଙ୍ଗେ ଦିନେ ସିନ୍ଧୁ ତରଙ୍ଗ ଆସି ।

ଏବେ ପାଦେ ଯାର ଚକ୍ରବାଳବ୍ୟାପି ଶାଳି-କେଦାର,

ଶରତେ ଧରଇ ବାତାହତ ସିନ୍ଧୁ ତରଙ୍ଗାକାର ।

ସେ ଶାଳି-କେଦାରେ ଦୂରୁଁ ଦିଶେ ଯାର ସିକତାକୁଦ,

ପରାବାରେ ଯେହ୍ନେ ଜଳଦେବତାଙ୍କ ଶଙ୍ଖ-ସଉଧ ।

ଯାମକୁଣ୍ଡ ଯହିଁ ଘନ ତାଳୀବନ-ଶାମଳ-ତୀରା

ସୁବର୍ଣ୍ଣତଟିନୀ ସିନ୍ଧୁ ଅଙ୍ଗେ ଅଙ୍ଗ ଢାଳେ ଗଭୀରା ।

ବେନିଙ୍କର ଯହିଁ ନୀର ସଂଘର୍ଷକ ଧୀର ନିଘୋଷ,

ଉପୁଜାଏ ଦେବ ଭୁଷଣ୍ଡ-ଈଶ୍ୱର ନିରତେ ତୋଷ ।

ବୋଲଙ୍ଗ କୀଚକ କୁଞ୍ଜ-ପୁଞ୍ଜେ ଯାର ମେଚକ‌କାନ୍ତି,

ଉପକୂଳେ ବାଲି ସ୍ତୁପ ଉପୁଜାନ୍ତି ଶଇଳଭ୍ରାନ୍ତି ।

କରନ୍ତି ଯୁବକେ ପରିପକ୍ୱ ଯହିଁ ଆୟୁଧ ଶିକ୍ଷା,

ଋଷ-ଯୁବତିଙ୍କି ପାରିଧିରେ ଦେଇ ବୈଧବ୍ୟ ଦୀକ୍ଷା ।

ରଙ୍ଗଣେ ରଞ୍ଜିତ ସିକତିଳ ସ୍ଥଳ ଲଙ୍ଗଳେଶ୍ୱର,

ଯାର ପାର୍ଶ୍ୱେସ୍ଥିତ ଶୂଳି-ହଳ-କ୍ଷତ ମହାପ୍ରାନ୍ତର ।

ବାଲିସ୍ତୁପ ଖୋଲେ ରଙ୍ଗେ ଯହିଁ ପ୍ରଜା ପତିଙ୍କ ଥାଟ,

ସୁରଭି ଶଗଡ଼ବାଟୁଆ ନିକୁଞ୍ଜେ କରନ୍ତି ନାଟ ।

ଜଳେଶ୍ୱର ଯାର ପ୍ରକ୍ଷାଳେ ପୟର ବକ୍ରଗାମିନୀ,

ସୁବର୍ଣ୍ଣତଟିନୀ ମତ୍ସ୍ୟମୟୀ ଚାରୁ ବକ୍ରଗାମିନୀ ।

ମୃତ ପ୍ରତାପର ମୂକ-ସାଖୀ ପ୍ରାୟେ ଟେକଇ ଶିଖ,

ଏକାଳେ ଯା କୂଳେ ଶୂନ୍ୟାକାର ଦୁର୍ଗ ଐତିହାସିକ ।

ନୀଳଗିରି ଯହିଁ ସ୍ୱର୍ଣ୍ଣଚୂଡ଼ ଚୂଡ଼ା ଚୁମ୍ବେ ଗ‌ଗନ,

ସିନ୍ଧୁ ଜଳାରଣ୍ୟେ ବଣା ନାହିକଙ୍କୁ ଦିଗବାରଣ ।

ପର୍ବତ କଟକେ ଚଟକା ନିର୍ଝର ଯହିଁ ଗଡ଼ଇ,

ଝର୍ଝର ଶବଦେ ଭୃଗୁରୁ ଭୃଗୁକୁ ଡେଇଁ ପଡ଼ଇ ।

ରଣ ବିଶାରଦ ଶୂରଙ୍କର ଭୂମି ସୋର ପ୍ରଥିତ,

କମଳାଳଙ୍କୃତ ସର ରାଜେ ଯହିଁ ସ୍ମରଣାତୀତ ।

ସୋରବାସିଙ୍କର ଦୁରିତବାରଣ ମଙ୍ଗଳଝଣ୍ଡା-,

ରୂପ ଚମକଇ ଯହିଁ ଉଗ୍ରଚଣ୍ଡୀ ଖେଳାଈ ଖଣ୍ଡା ।

ମହାମାନ ପୃଷ୍ଠେ ଶୋଭଇ ମଙ୍ଗଳ-ପୁର ରୁଚିର,

ପୃଷ୍ଠେ ଶୋଭେ ଯାର ଅଭ୍ରଂକଷ ଦେବ ଗିରି ପ୍ରାଚୀର ।

ତମୋମୟ ଶିଳା-ଖଣି ସ୍ଥିତ ଯହିଁ ଶଇଳ ପଦେ,

ମୁଖର ଅରଣ୍ୟ ଯହିଁ ଶିଳାଶିଳ୍ପୀ ଶାଣ ଶବଦେ ।

ପାଟଣା ମଣ୍ଡଳ ସରାଗେ ମଣ୍ଡନ୍ତି ଯହିଁ ଶିଖରୀ,

ନୃମୁଣ୍ଡମାଳିନୀ ଉଗ୍ରଚଣ୍ଡୀ ଦେବୀ ମଣ୍ଡଳେଶ୍ୱରୀ ।

ଚିତ୍ରାଙ୍ଗ ଶାର୍ଦ୍ଦୁଳ ସଦା ଯାର ଆଜ୍ଞକାରୀ କିଙ୍କର,

ମେରିଆ-ଶୋଣିତେ ନିରତେ ପୂରିତ ଯାର ଖର୍ପର ।

କୂପାରି ଯା ଟଙ୍କେ କୁପେଶ୍ୱର ହର ଏବେ ବସନ୍ତି,

ପୁରାକାଳେ ଯହିଁ ଉଡ଼ୁଥିଲା ବୌଦ୍ଧ-ବଇଜୟନ୍ତି ।

ଅଦୂରେ ଯାହାର ବିରାଜଇ ଶୁଆ-ଶାରୀ ପର୍ବତ,

ଶାରୀ ଶୁଆ ରବେ ଝଙ୍କାରିତ ଯାର ଗୁହା ସତ‌ତ ।

ନାଗବଲ୍ଲୀ ଦଳ ବରଜେ ଶ୍ୟାମଳ ବିଶାଲଖଣ୍ଡ,

ତାଳବନେ ଯହିଁ ମରମରେ ସିନ୍ଧୁ-ବାୟୁ ପ୍ରଚଣ୍ଡ ।

କଇଁସାରି ଲତା ଶ୍ୟାମଳ ସିକତା କୁଦେ ବିହାର,

କରୁଥାନ୍ତି ଯହିଁ କୃଷ୍ଣସାର ସଙ୍ଗେ କୁରଙ୍ଗୀବାର ।

ଅଯାଚିତବୃତ୍ତି ଅଜଗର ତୃଣ ଭୂମିରେ ଲାଖି,

ଓଟାରିବା ଆସେ ଶ୍ୱାସେ ମୃଗ ଯହିଁ ରହ‌ନ୍ତି ଟାକି ।

ସରହାର ଯାର ଟଙ୍କୁ ଝରୁଅଛି ପବିତ୍ର ଧାର,

କାଁଶବାଁଶ ନାମେ ସୋରକଣ୍ଠେ ଗଜ-ମୁକୁତାହାର ।

ଯା ରୁଚିର-ତୀରେ ସ୍ଫୁରି ପରିମଳ-ମୟ ମଳୟ,

ପୁଷ୍ପିତ ପଳାଶେ ସିନ୍ଦୁରିତ କରେ ଆଶା-ବଳୟ ।

ଗୁଡ଼ ଅଭିହିତ କୁଶାଙ୍କରମୟୀ ପବିତ୍ର ସ୍ଥଳୀ,

କୁରଙ୍ଗ-ସେବିତ ବିରାଜନ୍ତି ଯହିଁ ଦେବୀ ଲାଙ୍ଗଳୀ ।

ପାଟଣା ମଙ୍ଗଳା ପ୍ରତିଷ୍ଠିତ ଯହିଁ ପୟୋଧି ତଟେ,

ବୈତାଳିକ ପ୍ରାୟେ ଶ୍ରୀପଦେ ପ୍ରୟୋଧି ନିରତେ ଖଟେ ।

ମାଗଧ ଅନୁପେ ସୀମାସ୍ତମ୍ଭରୂପେ ତୋଳିଛି ଶିର,

ଯେ ଦେଶେ ବିରଞ୍ଚି ନାରାୟଣଙ୍କର ତୁଙ୍ଗ ମନ୍ଦିର ।

ଧାମରେ ମୋହାଣେ ପାଣ୍ଡୁଜଳାରଣ୍ୟେ ବାହୁଁ ନୌଚର,

ପୂର୍ବମୁଖେ ତରୀ ଦେଖଇ ସମ୍ମୁଖେ ମହାସାଗର ।

ନୀଳ-ସେତୁ କାନ୍ତି ଧରିତ୍ରୀର ଶ୍ୟାମ-ସୀମା ବଳୟ,

ଅଲଙ୍ଘ୍ୟ ଅଜେୟ ଚରାଚର-ତ୍ରାସ ବରୁଣାଳୟ ।

ଉପରେ ଉପରେ ଆସିଣ ଭୀଷଣୁ ଭୀଷଣତର,

ଫେନିଳ ଲହରୀ ଲହରାଉଥାଇ ପୋତପଞ୍ଜର ।

ତରଙ୍ଗେ ଓଲଟି କ୍ରୁର-ରଙ୍ଗେ କରି ମୁଖ-ବ୍ୟାଦାନ,

ନ‌କ୍ର ଶିଶୁମାର ଶୋଷି ନେଉଥାନ୍ତି ନାବିକ ପ୍ରାଣ ।

ପ୍ରଳୟ ଆଶଙ୍କା ଉପୁଜାଇ ସିନ୍ଧୁ-ସଖା ଉତ୍ତାଳ,

କରୁଥାଇ ପୁଣ ଛିନ୍ନ ଭିନ୍ନ ଗୁଣ-ବୃକ୍ଷେ ଅଝାଲ ।

ଧନ-ଜନ-ପ୍ରାଣ-ବିନାଶ ଚିନ୍ତାରେ ହୋଇ ଅଥୟ,

ଭୟେ ଜଡ଼ କର ଯୋଡ଼ି ପୋତ ପତି ଯାଚେ ଅଭୟ ।

ତେଜୋଧାମା ଯେଉଁ ଧାମରୀ ଦେବୀଙ୍କ କଞ୍ଜପୟରେ,

ତାଙ୍କ ଅଧିଷ୍ଠିତ ଭୂମିରୁ ଆସିଲେ ଭୂପ-କୁମରେ ।

ଭେଡ଼ା ଆଖ୍ୟାକାରୀ ବୃକ୍ଷହୀନ ଭୂମି ସମୁଦ୍ର ଦାଢ଼େ,

ଦ୍ୱୀପ ପ୍ରାୟେ କ୍ଷୁଦ୍ର ଜନପଦ ଯହିଁ ଭାସେ ଆଷାଢ଼େ ।

ନୀଡ଼ କ୍ରୋଡ଼େ ବସି ସାରସ ଦମ୍ପତି ଯହିଁ ନୀରୋଳେ,

ପ୍ରାଂଶୁ‌-ତୃଣ-ବନେ ଦୋଳୁଥାନ୍ତି ସିନ୍ଧୁ-ବାୟୁ ହିଲ୍ଲୋଳେ ।

ଭୀଷଣ ଅରଣା ବେଣା-ବଣେ ଯହିଁ ମହା ବିଷମ,

ଯମଙ୍କ ବାହ‌ନ ବୋଲାନ୍ତି ସେ, ଫଳେ ସେହି ସେ ଯମ ।

ବୈତରଣୀ ଅଙ୍ଗୁ ବ‌ହିଣ ଗେଙ୍ଗୁଟି ପ୍ରସନ୍ନନୀରା,

ଧୋଉଅଛି ଯହିଁ ମରୀଚିକାମୟୀ କ୍ଷେତ୍ର ଗୋହିରା ।

ନିମିଷେ ଉତ୍ତର କାଳେ ଗଲେ ସର୍ବେ ଦେବତାଉଭି,

ବାଜିବାରୁ ଯହିଁ କଳାପାହାଡ଼ର ରଣ-ଦୁନ୍ଦୁଭି

ନିମିଷେ ସରିଲା ଯହିଁ ଉତ୍କଳର ଗୌରବ-ଆଶା,

ଲକ୍ଷ ବୀର-ରକ୍ତେ ଉତ୍କଳର ହେଲା ଭାଗ୍ୟ ମିମାଂସା ।

ମେଘାସନ ବନ-ଦୃମଛାୟାରାଜି ଅନ୍ଧାରେ ଯାର,

କନ୍ଦରୁ ଝରଇ ମୃଦୁ କଳନାଦେ ନିର୍ମଳ ଧାର,

ଉପଳେ ସୈକତେ ସ୍ୱଚ୍ଛସ୍ରୋତ ଯାର ନିରତେ ବହି,

ପତ୍ର ପୁଷ୍ପ ଫଳ ଶସ୍ୟରେ ମଣ୍ଡନ କରଇ ମହୀ,

ଜ୍ୟୋତିର୍ଲିଙ୍ଗ ପ୍ରଭୁ ସ୍ୱୟମ୍ଭୁ ଅନିଳ ଯା ତୀରବାସି,

ଯା ହୃଦ ମଣ୍ଡନ ସୀତାକୁଣ୍ଡ ପୟଃ ପିଯୂଷରାଶି ।

ଯା କୂଳେ ଭଦ୍ରକେ ଛନ୍ତି ରୁଦ୍ର-କାୟା ଭଦ୍ରକାଳୀକା,

ଦପାନିବାସିନୀ ଦୁର୍ଗତିନାଶିନୀ ଦେବୀ ନାୟିକା ।

ଗୋନାଶିକା-ଶୈଳ-ସୂତା ପୂତ-ସ୍ରୋତେ ଢାଳେ ଯେ ଜଳ,

ପକ୍ଷାଳି ସଙ୍ଗମେ ଆଖଣ୍ଡଳମଣି-ପାଦ-କମଳ,

ସେହି ପୂତସ୍ରୋତ-ତୀରସ୍ଥିତ ଜନ-ପଦ ନ‌ଗରୀ-

ବାସୀ ଆସିଥିଲେ ଉଷା ଲାଭ ଆଶା ହୃଦୟେ ଧରି ।

ନ ପୁରିଲା ଆଶା, ପଣ ଅନୁସାରେ ଶିର ନିଜର,

ଦେଲେ ନ‌ଗରୀର ଦକ୍ଷିଣ ମଶାଣେ ନୋହି କାତର ।

ମନ୍ତ୍ରର ସାଧକ, ଶରୀର ପତନ, ବେନିରୁ ଟକ,

ଦେଲେ ବୀରଙ୍କର ତୁଟି କି କେବେ ସଂସାରେ ଟେକ ?

ରୂପ ଗୁଣେ ବଳେ ନରକୂଳେ ଧନ୍ୟ ଥିଲେ ସକଳେ,

ମାତ୍ର ରୂପଗୁଣ ଫଳେ କି ଲ‌ଲାଟ ଲିଖନ ଟଳେ ?

ବଳୀ ହୋଇ ଦୈବ-ବିଧାନ‌କୁ କିଏ କରିବ ଆନ ?

ମହାବଳୀଠାରୁ ବଳୀଆର ପୁଣି ଦୈବ ବିଧାନ ।

ଏହିରୂପେ ରାଜ-ସୁତେ ନୁରୁପୁର-ଦକ୍ଷିଣ ଭାଗେ,

ହତ ହେଲେ ଦେବୀ କରାଳୀ ବିଜୟ-ପ୍ରତିମା ଆଗେ ।

ଅଦ୍ୟାପି ସେ ସ୍ଥଳୀ ଅସଂଖ୍ୟ କିଶୋର‌ ନୃପ-ସୂନୁର,

ଶୋଣିତ ପଙ୍କିଳ ହୋଇ ବୋଲାଉଛି ଶୋଣିତପୁର ।

ସବୁ ରାଜସୁତ ଦର୍ପ ଏଥି ଯେଣୁ ହେଳାଟି ଚୂନା,

ଦର୍ପୀ-ଦର୍ପ‌-ହରୀ ସ୍ଥଳି ବୋଲି ଅଛି କଥା ପୁରୁଣା ।

ଦିନେ ଉଷା ସଖୀ ଗ‌ହଣେ ପ୍ରତ୍ୟୁଷେ ମହାକୌତୁକେ,

ବରାହ ମୃଗୟା ପାଇଁ ପୁରୁଁ ଗଲା ପଶ୍ଚିମ ମୁଖେ ।

ରାମ-ଶରାଙ୍କିତ ଲଳିତ ମୂରତି ଯହିଁ ମୁରାରି,

ଏବେ ଛନ୍ତି ସପ୍ତ-ସ୍ରୋତା ତୀରେ ଗୋପ-ନେପଥ୍ୟଧାରୀ ।

ଝିଲ୍ଲୀ-ଝଙ୍କାରିତ-ମହାରଣ୍ୟ ତ‌ହିଁ ଥିଲା ସେ କାଳେ,

ସଦା ସୁଶିତଳ ନାନା ବନସ୍ପତି-ବ୍ରତ‌ତୀ-ମାଳେ ।

ମହାଘୋରବନ, ପଶିବାକୁ ଯହିଁ ଡରନ୍ତି କାକ,

ପୁଷ୍ପିତ ହୋଇଛି ଯେହ୍ନେ କୃଷ୍ଣପକ୍ଷ ଅନ୍ଧାର‌ଯାକ ।

ଅସନ, ଶିଂଶପା, କ‌କୁଭ, ତିନ୍ଦୁକ, କୁଟଜ, ଶାଳ,

ହରିତକୀ, ନୀପ, ଧାତ୍ରୀ, ବିଭିତକି, ଧବ, ପିଆଳ ।

ଏ ଆଦି ଗ‌ହ‌ନ ପାଦପେ ଥିଲା ସେ ସ୍ଥଳୀ,

ସରୋଜାଳଙ୍କୃତ ଠାବେ ଠାବେ ଥିଲା ସଜଳ ଜଳୀ ।

ଅଦୂରେ ତାହାର ନଳ-ବନାକୀର୍ଣ୍ଣବିସ୍ତୀର୍ଣ୍ଣ ସର,

ନୀର ଆସ୍ତରଣ ନୀଳିମାରେ ଜିଣେ କଳା ଭ୍ରମର ।

କାହିଁ ନୀର ପାଣ୍ଡୁବର୍ଣ୍ଣ ପଡ଼ି ପଦ୍ମ-କେଶର ଧୂଳି,

ତାରକିତ କାହିଁ କରିଛି ପ୍ରସୂନେ ପାଣିଶିଉଳୀ ।

ନୟନ ଶୀତଳକାରୀ ପଦ୍ମ‌ବନ ଶ୍ୟାମାୟମାନ,

ସମୁକୂଳେ ତହିଁ ଦୋଳେ ପଦ୍ମଫୁଲ ଶୋଭା-ନିଧାନ ।

ଦୂରୁ ଯାଇ ମନ୍ଦସମୀରେ ବିକଚ-କମଳ-ଗନ୍ଧ,

ଗୁଞ୍ଜରି ଧାଆନ୍ତି ଅଳି-ପୁଞ୍ଜେ ମଧୁ-ସୌରଭେ ଅନ୍ଧ ।

ବିତରଇଁ ନୀଳ କଇଁ ଅପ୍ରଗଳ୍‌ଭ ସ୍ନିଗଧ ସୌରଭ,

ବ୍ରୀଡ଼ାବ୍ରତୀ ନବ-ପ୍ରେମଶୀଳ-ପ୍ରେମ-ଉଚ୍ଛ୍ୱାସ-ପ୍ରଭ ।

ଲଳିତ ମାରୁତେ ଦୂରୁ ଶୁଭେ ଯହିଁ ଶରାଳି-ସ୍ୱନ,

ଜଳଦେବୀଙ୍କର କିଙ୍କିଣୀ ଶବଦ ପ୍ରାୟେ ମୋହ‌ନ ।

ଶକ୍ର-ଧନୁ-ଖଣ୍ଡ ପ୍ରାୟେ ମତ୍ସ୍ୟରଙ୍କ ଶଫରୀ ଲକ୍ଷ,

ପରେ ରଖି ଆଖି ସ୍ଥିର ଥାଇ ଶୂନ୍ୟେ ଝାଡ଼ଇ ପକ୍ଷ ।

ମୀନ ଲୋଭେ ଗଲା ପାଣକାକ ବୁଡ଼ି ଆଲୋଡ଼େ ଜଳ,

ଦୀର୍ଘ ଗ୍ରୀବା ଟେକି ସ୍ଥାନେ ସ୍ଥାନେ ବକ ଧ୍ୟାନେ ନିଶ୍ଚଳ ।

ନିକାଞ୍ଚନେ ରହି, ନିଃଶଙ୍କ ବିହରି ଚାହାନ୍ତି ନାହିଁ,

କଙ୍କ, ହଂସରାଳୀ ଯ‌ହୁଁ ଗୋଡ଼ କାଢ଼ିଯିବାକୁ କାହିଁ ।

ବନପଶୁଙ୍କର ସନ୍ତରଣଯୋଗ୍ୟ ସର ସେ ଜାଣି,

ଜଗନ୍ତି ମୃଗୟା-ଜୀବୀ ତୀର-ବନେ କୋଦଣ୍ଡପାଣି ।

ବିଧି-ଶିଳ୍ପ-ସୀମା ତ‌ହିଁ ନୃପ-ଜେମା ଗୁପତେ ବସି,

ମୃଗୟା-ଉଦ୍ଦେଶ୍ୟେ ଉତ୍ସୁକେ ନିରେଖୁଥିଲା ସରସୀ ।

ବନପଶୁ ଆଶେ ତ‌ହିଁ ବସିବେଳ ହେଲା ବିସ୍ତର,

ହରିଦଶ୍ୱ ହରି-ବିକ୍ରମେ କ୍ରମଶଃ ହେଲେ ପ୍ରଖର ।

ସ‌ହସ୍ର କରେ ସେ ଭୁତଳେ ଫିଙ୍ଗିଲେ ଅନଳଗୁଣ୍ଡି,

ତରୁ ଷଣ୍ଡେ ଲୁଚି ସଘନେ ରଟିଲା ସିନ୍ଦୁରମୁଣ୍ଡି ।

ଆତପ-ସନ୍ତାପେ ପଦ୍ମ-ବନୁ ଉଡ଼ି ଭ୍ରମର କୁଳେ,

ଫୁଲ୍ଲ କର୍ଣ୍ଣିକାରେ-ଗରଭେ ପଶିଲେ ଘର୍ମ ଆକୁଳେ ।

ବସର‌ଯୌବନେ ଘସିଲେ ସଘନେ ବନେ ଟୋପର,

ସେ ସ୍ୱରେ ମିଶିଲା ଦୂରବନୁ କ୍ଳାନ୍ତ-କୁକ୍‌କୁଟ-ସ୍ୱର ।

ବନ-ପଶୁ-ପକ୍ଷୀ ମଧ୍ୟଦିନ ରୌଦ୍ର-ତାପେ ଅଥୟ,

ରବି-ରଶ୍ମୀ-ରୋଧି-ଲତାକୁଞ୍ଜ କ୍ରୋଡ଼େ ନେଲେ ଆଶ୍ରୟ ।

ଜଳପାନଆଶେ ପ୍ରଥମେ ଆସିଲେ ହରିଣୀ-ଦଳ,

ଚଉଦିଗେ ଚାହିଁ ଆଳସେ ଚୋବାଇ କୁଶ କବଳ ।

ସର୍ବାଗ୍ରେ ବିପଦେ ଯୁଥତ୍ରାଣ ପାଇଁ ଦିଏ ଯେ ପ୍ରାଣ,

ଗର୍ବଭରେ ଅଗ୍ର-ସର କୃଷ୍ଣସାର ଦୀର୍ଘ ବିଷାଣ ।

ସ୍ତନ୍ୟପାୟୀ ଶିଶୁ ମୁହୁର୍ମୁହୁ ସ୍ତନ ଶୋଷଣେ, ରତ-

ଥିବାରୁ ମୃଗୁଣୀ-ଖର-ଗତି ହେଉ-ଥିଲା ବ୍ୟାହତ ।

ଏକେଏକେ ସର୍ବେ ସରସେ ପ୍ରବେଶି ପିଇଲେ ଜଳ,

ଜଳ ପିଉ ପିଉ ଚାହାନ୍ତି ଚୌପାଶେ ତ୍ରାସେ ତରଳ ।

ଜଳ ପିଇ ସର୍ବେ ବନେ ବାହୁଡ଼ନ୍ତେ, ସହସା ସରେ,

ପଶିଲେ ବିକଟ ଦ୍ରଂଷ୍ଟ୍ରାବନ୍ତ ବେନି ବନ୍ୟ ଶୁକରେ ।

ଘୋର-ଘୋଣାଘାତେ କ୍ଷଣେ ସର ଶାନ୍ତି କରି ସେ ଦୂର,

ପଙ୍କ ଆଲୋଡ଼ିଣ ଭକ୍ଷିଲେ ଶାଳ୍‌କ ମୁସ୍ତା ପ୍ରଚୁର ।

ପଙ୍କ ଶଇବାଳେ ବୋଳା ହୋଇ ଜଳୁଁ ଉଠୁଁ ଉଲ୍ଲାସେ,

ଶୂଳ ହସ୍ତେ ଉଷା ସେହିକ୍ଷଣି ଆସି ମିଳିଲା ପାଶେ ।

ଉଷାକୁ ଦେଖି ସେ ସରୋଷେ କର୍କଶ ସଟା ଫୁଲାଇ,

ମିଶିବା ଆଶାରେ ଗଲେ ଖର ବେଗେ ସଳଖେ ଧାଇଁ ।

ବେନି ମଧ୍ୟୁ ଏକ ଉଷା-ଶୂଳ-ମୂନେ ହେଲା ଗ୍ରଥିତ,

ଅନ୍ୟ ଶରେ ଭିନ୍ନ ହୋଇ ଅର୍ଦ୍ଧପଥେ ହେଲା ପତିତ ।

ଦେଖି ନ ଜାଣିଲେ କେଉଁ ଦିଗୁଁ ସେହି ଶର ଆସିଲା,

ଯଥାକାଳେ ଯଥା-ସ୍ଥାନେ ସେହି ଶର କିଏ ପେଶିଲା ?

ଚାରିଦିଗେ ଚାହିଁ ନାରୀଏ କିଛି ନ ପାଇଲେ ଅନ୍ତ,

ଶରଫଳେ ଏକା ଅଙ୍କିତ ଦେଖିଲେ ନାମ "ଜୟନ୍ତ" ।

କେତେକାଳ ସେହି ବ୍ୟାଧ ପ୍ରତୀକ୍ଷାରେ ରହି ଲଳିତା,

ପୁରେ ବାହୁଡ଼ିଲା ସ୍ୱର୍ଣ୍ଣଚୂଡ଼-ଲମ୍ବା ଦେଖି ସବିତା ।

ଶାଳ୍ମଳୀ-ଶଇଳେ ହେମ‌ପୁର ନାମେ ଥିଲା ବସତି,

ତ‌ହିଁ ରାଜପଣ କରୁଥିଲେ ରାଜା ବାହ‌ନପତି ।

ଜୟନ୍ତ-ପ୍ରତିମ କୁମାର ତାଙ୍କର ଜୟନ୍ତ ନାମ,

ବଳେ ଶକ୍ତିଧର, ଜିଣିଥିଲା ସେହି ଲାବଣ୍ୟେ କାମ ।

ଭାବୁଥିଲେ ଲୋକେ ଦେଖି ସେ ଯୁବାର ବିଗ୍ରହପ୍ରଭା,

ମୂର୍ତ୍ତିପରିଗ୍ରହି ମର୍ତ୍ତ୍ୟେ ଧନୁର୍ବେଦ ଭ୍ରମ‌ଇ ଅବା !

ଶସ୍ତ୍ରେ ଶାସ୍ତ୍ରେ କରି ଶସ୍ତ୍ରୀ ଶସ୍ତ୍ରୀଙ୍କର ଦର୍ପ ଖଣ୍ଡନ

ମୃଗୟାରେ ରତ ହେଲା ସେ ତରୁଣ ମୌଳି-ମଣ୍ଡନ ।

ଶାଳ୍ମଳୀଶଇଳ-ଭୃଗୁରୁ ବଳାଙ୍ଗୀ-ପ୍ରପାତ ଯହିଁ,

ନଳ-ବନାକୀର୍ଣ୍ଣ ଜଳି-ଗର୍ଭେ କଳ ନାଦେ ଝରଇ,

ଚକ୍ରାକାରେ ଯହିଁ ଚକ୍ରବାଳେ ରାଜେ ଗିରିମଣ୍ଡଳ,

ମହିଷାଳେ ଯହିଁ ନର୍ଜନେ ଚରାନ୍ତି ମହିଷ-ପଲ,

ସେହି ଜଳି-ପ୍ରାନ୍ତେ ବିରଚି ଜୟନ୍ତ ପର୍ଣ୍ଣ-କୁଟୀର,

ମୃଗୟା-ବ୍ୟସନେ ଥିଲା ନିମଗନ ନିରତେ ବୀର ।

ମହେନ୍ଦ୍ର ଅଚଳେ ଭାର୍ଗବ ଊଷିଙ୍କି ଭେଟିବା ଆଶେ,

ଯାଉଥିଲେ ଦିନେ ଶଖିଧ୍ୱଜ ଶିଖି-ପୃଷ୍ଠେ ଆକାଶେ ।

ଚିର ସ୍ନେହେ ଥିଲା ବେନିଙ୍କର ମନ ବେନିରେ ଲାଖି,

ବେନିଙ୍କର ଅସ୍ତ୍ର-ଗୁରୁ ଥିଲେ ଯେଣୁ ଦେବ ପିନାକୀ ।

ବନ‌-ଦେବୀ ଅନୁରୋଧେ ଶିଖିଧ୍ୱଜ ଶୈଳେ ଓହ୍ଲାଇ,

ଛାଡ଼ିଦେଲେ ଶିଖି ବଳାଙ୍ଗୀ-ନିର୍ଝରେ କରିବା ପାଇଁ ।

ଅସଂଖ୍ୟ କଳାପୀ ବର୍ଣ୍ଣୋଜ୍ଜ୍ୱଳ ଚାରୁ-କଳପ ତୋଳି,

ବ୍ରତ‌ତୀ-ଦୋଳାରେ ଖେଳୁଥିଲେ ତ‌ହିଁ ଅନିଳେ ଦୋଳି ।

ବନଲକ୍ଷ୍ମୀ ବନେ ଭିଆଇଥିଲେ କି ବର୍ଣ୍ଣ ଉତ୍ସବ,

କିବା ସ‌ହାଇଥିଲା ମର୍ତ୍ତେ ଶତ ଇନ୍ଦ୍ର-ଧନୁ ଉଦ୍ଭବ ।

ତ୍ରିଦଶ-ମୟୁର ମିଶିଲା ଆସି ସେ ମୟୁର-ପଲେ,

ଦେଖି ଅନ୍ୟ ଶିଖୀ ପୂରିଲେ ଗ‌ହ‌ନେ କେକା ଚ‌ହଳେ ।

ସେ ରବେ ଆହୂତ ହୋଇ ତ‌ହିଁ କେତେ କ୍ରୁର ଶବର,

ଦେଖିଲେ ସୂର୍ଯ୍ୟାସ୍ତ-ଶୋଭା-ଅନୁକାରୀ ସେ ଶିଖିବର ।

ସ୍ୱଭବେ ଲୁବ୍ଧକ, ଲୋଭୀ ହେଲେ ସେହୁ କଳାପ ଦେଖି,

ମନେ ମନାସିଲେ ବଧିବେ ବିଶିଖେ ଅପୂର୍ବ -କେକୀ ।

ଚାପେ ଖଞ୍ଜି ଶର ଆକର୍ଣ୍ଣ ଶିଙ୍କିନୀ ଟାଣନ୍ତେ ତାର,

ଶରପଥେ ଉଭା ହୋଇ ନିବାରିଲା ନୃପ-କୁମାର ।

ଶରବନ-ଭବ ଦେବ ଜାଣି ଏହା ଜୟନ୍ତ ପ୍ରତି,

ବାହ‌ନ-ବତ୍ସଳ ଅନ୍ତର୍ଗତେ ହେଲେ ପ୍ରସନ୍ନ ଅତି ।

ଶୂରୋଚିତ ବର ସୁରାଗ୍ରଣୀ ଦେବା ପାଇଁ ସରାଗେ,

ଉଭା ହେଲେ ଦେବ ନୁ ଦିବ୍ୟ ରୁପେ ଜୟନ୍ତ ଆଗେ ।

ଶାଣେ ଉତ୍କୀର୍ଣ୍ଣକି ବରାଙ୍ଗ ଏସନ ଆସଇ ଚିତ୍ତେ,

ଗୌର ଗ୍ରୀବାଦେଶେ କୃଷ୍ଣକେଶଗୁଚ୍ଛ ଶୋଭେ କୁଞ୍ଚିତେ ।

ଅଯୋଜିତ ଗୁଣ ଧନୁଶୃଙ୍ଗେ ବୀର ଭଙ୍ଗିରେ ଭର-

ଦେଇ ସବ୍ୟେତର କରେ ଧରିଛନ୍ତି ଶର ଭାସ୍ୱର ।

ସ୍କନ୍ଧ ପୃଷ୍ଠେ ତରଣ-ମୁଖେ ଶର କଙ୍କ-ନିଚୟ,

ଦେହୁ ପ୍ରଭା ସ୍ଫୁରି ବନଭୂମି ଦେଶେ କନ‌କମୟ ।

ସ‌ହସା ସମ୍ମୁଖେ ଆବିର୍ଭୁତ ଦେଖ ଦେବ-କୁମାର,

କ୍ଷଣେ ସ୍ତମ୍ଭୀଭୁତ ଚକିତ ହେଲା ସେ ନୃପ-କୁମାର ।

ସାଷ୍ଟାଙ୍ଗେ ପ୍ରଣମି କର‌ଯୋଡ଼ି ଉଭା ହୋଇ ଅଗ୍ରତେ,

ଶକ୍ତିଧର-ପଦେ ବର ଭିକ୍ଷା ଯୁବା କଲା ଏ ମତେ ।

‘‘ଦେବ ଶକ୍ତିଧର, ହେଲ ଯେବେ ଦାସ ପ୍ରତି ସଦୟ,

ସଙ୍କଟେ ସ୍ମରିଲେ ଅବତରି ଦେବେ ଦାସେ ଅଭୟ ।"

‘‘ତ‌ଥାସ୍ତୁ" ଉଚ୍ଚାରି ଦେବ ତାରକାରି ଶିଖି ବାହ‌ନେ,

ପ୍ରଭାରେ ଉଜଳି ନୀଳବ୍ୟୋମ ଗଲେ ରାମ ସଦନେ ।

ବାହନ- ଶିଖୀରୁ ପଡ଼ିଲା ସେ କାଳେ ବର୍ହ ରୁଚିର,

ମହାଦରେ ତୋଳିନେଲା ସେ କଳାପ ଜୟନ୍ତ ବୀର ।

ଭେଟିଲା ଭୁପତି ଛାମୁରେ ତା ନେଇ ଭୁପ-ସନ୍ତ‌ନ୍ତି,

ମୁକୁଟର ଭୁଷା କଲେ ସେ ବର୍ହକୁ ବାହ‌ନ-ପତି ।

ଘେନିଲେ 'ମୟୁର-ଧ୍ୱଜ' ପଦ ସେହି ଦିନୁ ରାଜନ,

ସେହି ଦିନୁ ରାଜ୍ୟେ ମୟୁର ନିଧନ ହେଲା ବାରଣ ।

ଉଷା-ସ୍ୱୟମ୍ବର ବାରତା ଜୟନ୍ତ ହରଷେ ଶୁଣି,

ନିଜ କରଗତ ପରାୟେ ମଣିଲା ସ୍ୱର୍ଗ ନିଶୁଣୀ ।

ଜୟନ୍ତର ରିଷ୍ଟ ଶଙ୍କା ସେହି ବର୍ଷେ କଲେ ଗଣକ,

ପଡ଼ିଲା ନୃପତି ସୁତ ମନୋରଥ ପଥେ କଣ୍ଟକ ।

ସ୍ୱୟମ୍ବରେ ଯିବା ପାଇଁ ନିଷେଧିଲେ ବାହନ-ପତି,

ଶୈଳରୁଦ୍ଧ ସ୍ରୋତ ଦଶାକୁ ଭଜିଲା ଜୟନ୍ତ -ମତି ।

କଷ୍ଟେ ଚିତ୍ତା଼ବେଗ ଗୁରୁ ଆଜ୍ଞ ନିଜ ମସ୍ତକେ ଧରି,

ପୂର୍ବପରି ବୀର ରହିଲା ମୃଗୟା ବିଧି ଆଚରି ।

ମୃଗୟା ବ୍ୟାପାରେ ଏଣେ ତେଣେ ଭ୍ରମି ବ୍ୟାକୁଳ ମନେ,

ଅତର୍କିତେ ଆସି ପ୍ରବେଶିଲା ପୂର୍ବ ବର୍ଣ୍ଣିତ ବନେ ।

ସେହି ବନେ କଳି-ତୀର-ତରୁତଳେ ସଙ୍ଗିନୀ ଦଳେ,

ଉଷାକୁ ପ୍ରଥମେ ଦେଖି ସେ ବୁଡ଼ିଲା ବିସ୍ମୟ ଜଳେ ।

ଭାଳିଲା, 'ହୋଇଛି ଅବା ଏଥି ବନ ଦେବଙ୍କ ମେଳା,

କିରାତିନୀ ବେଶେ ଖେଳୁଛନ୍ତି ପରା ପାରିଧି ଖେଳା ।

କି ଅବା ଶବରୀ ରୁପେ ମୁକ୍ତକେଶି ହର ସୁନ୍ଦରୀ,

ଯୋଗିନୀ ଗ‌ହଣେ ଭ୍ରମନ୍ତି ରଜତ ଟ୍ରିଶୂଳ ଧରି ।

ନାହିଁ, ନାହିଁ ସୁର-ନାଗରୀରୁ ଏଥି ଅଛି ବିଶେଷ,

ମର୍ତ୍ତ୍ୟନାରୀ ବୋଲି ଚିହ୍ନାଇ ଦେଉଛି ନେତ୍ର ଉନ୍ମେଷ ।

ନୁରୁରାଜପୁର ନୁହଇ ଏଠାରୁ ଦୂର ବ‌ହୁତ,

ଖ୍ୟାତ ଯାର କଥା, ଏ ହେବ ପରା ସେ ରାମା ଅଦ୍ଭୁତ ।

ନୁରୁ ରାଜ‌ଜେମା ନିଶ୍ଚେ ଏହି ବାମା ଲାଗଇ ମନେ,

ପାରିଧି ବ୍ୟାପାରେ ସଖୀ ସଙ୍ଗେ ଆସି ଅଛି ଗ‌ହ‌ନେ ।

ଏତେ ଦିନ‌ଯାଏ ଥିଲା ସିନା ମୋର ନୟନ ତୁଚ୍ଛ,

ଦେଖି ନ ଥିଲି ତ କେବେ ଏ ଅପୂର୍ବ ରୂପର ଉତ୍ସ ।

ସ୍ୱୟମ୍ବରେ କରିଅଛି ଯେଉଁ ପଣ ବାଳା- ରତନ,

ଏ ରୂପର ଯୋଗ୍ୟ ଅଟଇ ସିନା ସେ ଦାରୁଣ -ପଣ ।

ଏ ଟାଣପଣକୁ ଇତର -ପୁରୁଷେ ହେବ କି ସରି ?

କେଶରିଣୀ ମନେ ଆନ କେ ଲାଗିବ ବିନା କେଶରୀ ।

ଏହି ରୂପେ ଭାଳି ଘନ ତରୁପର୍ଣ୍ଣେ ଆବରି ଅଙ୍ଗ,

ଶାର୍ଙ୍ଗ ଧନୁଶର-ହସ୍ତେ ଦେଖୁଥିଲା ନାରୀଙ୍କ ରଙ୍ଗ ।

ବିପଦ କବଳେ ଅବଳାକୁ ଦେଖି ଫିଙ୍ଗିଲା ଶର,

ଯେ ଶରେ ଭୂତଳ ଭଜିଲା ବେନିରୁ ଏକ ଶୂକର ।

ଉଷା ଦିବ୍ୟରୂପେ ପୂର୍ବୂ ହୋଇଥିଲା ଚିତ୍ତେ ମୋହିତ,

ସାହାସ କୌଶଳ ଦେଖି ହେଲା ପୁଣ ଦ୍ୱିଗୁଣ ପ୍ରୀତ !

ପାର୍ଥ ମନ ଶୌର୍ଯ୍ୟେ ସୌନ୍ଦର୍ଯ୍ୟେ ଯେସନେ ଯଦୁ-କୁମାରୀ,

ଉଷା ସେହିପରି ଜୟନ୍ତର ମନ ନେଲା ଓଟାରି ।

ବୀରାଙ୍ଗନା ସିନା ଗୁଣେ ବୀରମନ ପାରଇ କିଣି,

ଶୟନେ, ସ୍ୟନ୍ଦନେ, ବିଜୟେ, ସଙ୍କଟେ ଯୋଗ୍ୟ ସଙ୍ଗିନୀ ।

ରାଜ‌ଜେମା ପ୍ରେମେ ଉନମତ୍ତ ହୋଇ ସେ ନୁରୁପୁରେ,

ନିଶା ଯୋଗେ ହାଲ ଉପସ୍ଥିତ ହେଲା ନୃପ- ଛାମୁରେ ।

ସବିନୟେ ନିଜ ପରିଚୟ ଦେଲା ଶିର ନୋଆଇଁ,

ଅର୍ଥୀ ହେଲା ବୀର-ତରୁଣ ଦାରୁଣ ପରୀକ୍ଷା ପାଇଁ ।

ମୁଗ୍‌ଧ ହେଲେ ଦେଖି ନୃପତି ସ‌ହିତେ ଅମାତ୍ୟ ଜନ,

ଯୁବାକୁ ମଣିଲେ କିଶୋରୀ ମଣିର ଯୋଗ୍ୟ କାଞ୍ଚନ ।

ଜୟନ୍ତକୁ ଦାଖି ନୃପଙ୍କର ହେଲା ହର୍ଷେ ବିଷାଦ,

ବିବରି କ‌ହିଲେ ପରୀକ୍ଷାର ଯେତେ ପୂର୍ବ ସମ୍ବାଦ ।

କାଳ ସ୍ୱୟମ୍ବରେ ଶିର ଦେଲେ ଯେତେ ବୀର ଯୁବାଏ,

ସମସ୍ତଙ୍କ ନାମ ଏକ ଏକ କରି କ‌ହିଲେ ରାୟେ ।

କ‌ହୁଁ କ‌ହୁଁ ତାଙ୍କ ହୃଦେ ଉପୁଜିଲା ଦାରୁଣ ଖେଦ,

ଅର୍ଥୀ ହେବାଲାଗି ସଜଳ ନୟନେ କଲେ ନିଷେଧ ।

ମାତ୍ର ନିମ୍ନମୁଖ ପୟଃ ପୁଣି ଦୃଢ଼-ପ୍ରତିଜ୍ଞ ମନ,

ଯେତେ ବାରିଲେହେଁ ମାନନ୍ତି ନାହିଁ ସେ କେବେ ବାରଣ ।

ଉଷାଗତ ପ୍ରାଣ, ଉଷା ତାର ଧ୍ୟାନ,ଉଷା ସେ ଗତି,

ଉଷା ନ ଲଭିଲେ ପାରିବକି ପ୍ରାଣେ ତିଳେ ବରତି ।

ପ୍ରଥମ ଦର୍ଶନ ବେଳୁ କରିଥିଲା ମନ‌କୁ ଦୃଢ଼,

କାଳ ସ୍ୱୟମ୍ବରେ ଅବ‌ହେଳେ କଲା ପ୍ରାଣକୁ ହୁଡ଼ ।

ସେହିକ୍ଷଣି ରାଜ ଆଜ୍ଞା ହୋଇଗଲା ପୁରେ ପ୍ରଚାର,

ପରୀକ୍ଷା ସକାଶେ ଯଥାବିଧି ଠୁଳ ହେଲା ସମ୍ଭାର ।

ପ୍ରାତେ ଅଭିନୟ ପୁଣି ହେବ ସେହି ଦାରୁଣ ବିଧି,

ଜୟନ୍ତ -ଲ‌ଲାଟେ କେ କ‌ହିବ କିବା ଲେଖିଛି ବିଧି ।

ମହାଚିନ୍ତାକୁଳେ ଯାପିଲା ଜୟନ୍ତ ସେହି ରଜନୀ,

ମଣି ଲାଭ ହେବ କି ଅବା ପଡ଼ିବ ମୁଣ୍ଡେ ଅଶନି ।

ଭାଗ୍ୟ ଥିଲେ ମୋର ପାଇଁ ସଙ୍ଗୀ ହେବ ସେ ମଦାଳସା,

ନତୁବା ଭଜିବି ପୂର୍ବପ୍ରାର୍ଥୀ ରାଜସୁତଙ୍କ ଦଶା ।

ଥରେ ମାତ୍ର ପଡ଼ି ନେତ୍ରପଥେ ସେହି ରଙ୍ଗରଙ୍ଗିଣୀ,

ହୋଇଅଛି ଚିର-ଦିନ ପାଇଁ ମନୋନେତ୍ର-ସଙ୍ଗିନୀ ।

ବିଫଳ ହେବ ଏ ଜୀବନ ମୋହର ଉଷା ବିହୁନେ,

ଏ ଭଳି ଜୀବନଠାରୁ ମୃତ୍ୟୁ ଶ୍ରେୟ ସ‌‌ହସ୍ର ଗୁଣେ ।

ଯାହା ଥାଉ ଭାଗ୍ୟେ କେବଳ ସାହସ ମୋର ସମ୍ବଳ,

ସାହସୀକୁ ଦେବେ ଅନୁକୁଳ ହୋଇ ଦିଅନ୍ତି ବଳ ।

ଚିନ୍ତାକୁଳ ଚିତ୍ତେ ଉନ୍ନିଦ୍ର ରଜନୀ ଯାପିଲା ବଳୀ,

ଚିନ୍ତା ନିଦ୍ରା ବେନି ମଧ୍ୟେ ସବୁକାଳେ ସପତ୍ନୀ-କଳି ।

ସଂଶୟ-ପ୍ରବାହେ ଚିନ୍ତାକୂଳ ମନ ବୁଲିଲା ଘୂରି,

ବଳାଙ୍ଗୀ ହୃଦୟେ ପ୍ଳାବନେ ଯେସନେ ଭ୍ରମେ ଭଉଁରୀ ।

ନ ଦିଶୁ ପୂରବେ ଉଷାର ପ୍ରଥମେ ପାଟଳ ରେଖା,

ଡେଣାରୁ ଶିଶିର‌ବିନ୍ଦୁ ଝାଡ଼ି ଦିଏ ନଭେ ଯେ ଦେଖା ।

ଢଳଢଳ ଯା ତରଳ ସଙ୍ଗୀତ ପଥିକ ଶ୍ରୁତି,

ତାରେ ଝଙ୍କାରଇ ଅତୀତ ସୁଖର ତରୁଣ ସ୍ମୃତି ।

ପକ୍ୱଶାଳୀ କ୍ଷେତ୍ରେ ଯା ସ୍ୱର-ତରଙ୍ଗ ଭାସେ ଅନିଳେ,

ଉଷା ଉଦ୍‌ବୋଧନ, ଭରତିଆ‌-ସ୍ୱନ ଶୁଭିଲା ବିଲେ ।

ସାରେ ଶୟନ ପରିହରି ଦେବୀ ବିଶ୍ୱଦ୍ୟୋତିନୀ,

ରଞ୍ଜିଲେ ପ୍ରବାଳ ପାଟଳ ଆଲୋକେ ନଭ ମେଦିନୀ ।

କୋକବଧୁ ସଙ୍ଗେ କମଳିନୀ କଲା ଉଷା ବନ୍ଦନା,

ସମୁଜ୍ଜ୍ୱଳ ବେଶେ ଚୌଦିଗେ ହସିଲେ ଦିଗ-ଅଙ୍ଗନା ।

ସୁରଞ୍ଜିତ ଦିଶେ ନାନା ଅଙ୍ଗରାଗେ ପ୍ରାଚୀ ତରୁଣୀ,

ତ‌‌ହୁଁ ବଳି ଶୋଭା ବିକାଶଇ ଶୈଳ-ମୟୀ ବାରୁଣୀ ।

ସ୍ତରେ ସ୍ତରେ ଶୋହେ ଶଇଳ-ପ୍ରାଚୀର ଶ୍ୟାମଳ ଦ୍ୟୁତି,

କାହିଁ ଶୂଳାକୃତି, ଭଲ୍ଲାକୃତି, କାହିଁ ତୋରଣାକୃତି ।

କାହିଁ ଅବା କୁର୍ମ ପୃଷ୍ଠାକାର, କାହିଁସେତୁ-ଆକାର,

ଉନ୍ନତ, ଅନତ, ସରଳ, କୁଞ୍ଚିତ ବପୁ-ବିସ୍ତାର ।

ଉଷା ରକ୍ତାଂଶୁକେ ରଞ୍ଜିତ ଶ୍ୟାମଳ ଭୁଧରଗଣ,

ପିନ୍ଧିଛନ୍ତି ଅବା ଉତ୍ସବେ ମୟୁର କଣ୍ଠିବସନ ।

ମତ୍ସ୍ୟଶୈଳ ଦେଖ କିବା ଆଡ଼ମ୍ବରେ ଅଗ୍ରତେ ଠିଆ,

ବତ୍ସ ପ୍ରାୟେ ଯାର ଦିଶେ ଗଣ୍ଡଶୈଳ ବାଇଗଣିଆ ।

ନିନ୍ଦି ସ୍ନିଗ୍‌ଧ ଶୈଳ କାନ୍ତି ମଦେ ନବ ନୀରଦ ଘଟା,

ମେହେରାବି‌-ତ୍ରୟ ଆକାଶେ ତୋଳିଛି ମହିଷ‌ପଟା ।

ଅପରାଜିତାର ନୀଳୀମାକୁ ଦେଇ ଶତ ଧିକ୍‌କାର,

ତୋଳିଛି ଅମ୍ବରେ ଶୃଙ୍ଗ ସ୍ୱର୍ଣ୍ଣଚୂଡ଼ ଗୋଶିଙ୍ଗାକାର ।

ଇନ୍ଦ୍ରମଣି ଗଡ଼ ପ୍ରୟେ ମାଙ୍ଗଡ଼ ଶୋହେ ତା ପରେ,

ଦୀର୍ଘ ବିସ୍ତାରିତ ବପୁ ବିଭାସିତ ଲୋହିତ କରେ ।

ଅନ୍ତରାଳେ ଶୋଭେ ଠାବେ ଠାବେ ବାଳ-କିରଣ ଲଭି,

ପୃଷ୍ଠଦେଶେ ଦୂର ତର ଶୈଳଶ୍ରେଣୀ ଅସ୍ପଷ୍ଟ ଛବି ।

ବିରାଜଇ ନୀଳ ବର୍ଣ୍ଣେ ଢଳ ଢଳ ନଭ ବିତାନ,

କି ଅବା ଅପର ସିନ୍ଧୁ ଊର୍ଦ୍ଧ୍ୱ ଦେଶେ ଲମ୍ବାୟମାନ ।

ଉଡ଼ି ଯାଉଛନ୍ତି ହଂସେ ବୋଳା ହୋଇ ରକ୍ତ ଅଂଶୁକେ,

କୁଳୀର ଅରୁଣ ପୂର୍ବ ପାରାବାର-ପୁଳିନ ମୁଖେ ।

ରାଜାଦେଶ ପାଇଁ ନିଶା ଶେଷ ଯାଅମେ ହୋଇ ସତ୍ତ୍ୱର,

ସୁସଜ୍ଜିତ ହୋଇ ଥିଲା ବିଧିମତେ ନୁରୁ- ନ‌ଗର ।

ନ ରାବୁଁ କୁକ୍‌କୁଟ, ନ ହେଉଣୁ ପୂର୍ବେ ଅରୁଣୋଦୟ,

ପରିଷ୍କୃତ ହୋଇ ପୁର ରଥ ହେଲା ତୋରଣମୟ ।

ଲୋହିତ ପତାକା ତରୁ‌-ଶିରେ-ଉଡ଼େ ସମୀରେ ଢଳି,

ଚିତାରେ ମଣ୍ଡିତ ହୋଇଅଛି ପୁର-ବାସୀ ଦେହଳୀ ।

ରଙ୍ଗସ୍ଥଳେ ଦଳେ ବଳେ ଆସି ହେଲେ ଦର୍ଶକ ଗଦା,

ନାନାଦିଗୁ ହେଲା ଲୋକେ ଲୋକାରଣ୍ୟ ପ୍ରଥମାପଦା ।

ଛବି ଅଳିନ୍ଦାଦି ଅସଂଖ୍ୟ ଦରଶକ ବୃନ୍ଦେ ଶୋଭିତ,

ବାତାୟନ ହେଲା ଲଳନା-ଲୋଚନେ କୁବଳୟିତ ।

ପୁରୁ ବାହାରିଲେ ନୁରୁ ନରନାଥ ନ‌‌ନ୍ଦିନୀ ସ‌ହ,

ବାଜିଣ ଉଠିଲା ନହବତେ ଉଚ୍ଚ ନାଦେ ପଟହ, ।

ଟମକ, ନାଗରା, ମଧୂରିକା, ତୁରୀ ଭେରୀ, କାହାଳ,

ନାଦି ବାଦ୍ୟକାରେ ସର୍ବାଗ୍ରେ ଚାଲନ୍ତି ମାଳକୁ ମାଳ ।

କ୍ରୋଞ୍ଚ ପକ୍ଷଧର ଚିତ୍ରାଙ୍ଗ ପଦାତି ଶାର୍ଦ୍ଦୂଳ-ପ୍ରଭ,

ଫଳକେ ଚିତ୍ରିତ ଶୋଭେ ନାନାବର୍ଣ୍ଣେ ଗଣ୍ଡଭୈରବ ।

ତାଙ୍କ ପଛେ ପଛେ ଗୁରୁ ପୁରୋହିତ,ପଟ୍ଟଜ୍ୟୋତିଶ,

ରାଜ-ପାତ୍ରମନ୍ତ୍ରୀ, ରାଜପରିଷଦ, ସେନା ଅଧୀକ୍ଷ ।

ସର୍ବ ଶେଷେ କରି-ପୃଷ୍ଠେ ନୁରୁରାଜ-ନନ୍ଦିନୀ ସ‌ହ,

ଚଉଦିଗେ ବେଢ଼ି ସ୍ତୁତି ପଢ଼ୁଛନ୍ତି ବନ୍ଦି ନିବ‌ହ ।

ସିନ୍ଧୁ-ଊର୍ମିପରି ଆଗେ ଆସୁଛନ୍ତି ମନୁଜ-ବ୍ରତେ,

ପୂର୍ବ ଶଶୀ ପରି ଶ୍ୱେତ ରାଜଛତ୍ର ସର୍ବ ପଶ୍ଚାତେ ।

ଉପସ୍ଥିତ ଚଣ୍ଡି ଦେଉଳେ ହୁଅନ୍ତେ ନୁରୁ ନରେଶ,

ବାଜି ପୃଷ୍ଠେ ଶିଖି-ଧ୍ୱଜ-ସ୍ୱତ ତ‌ହିଁହେଲା ପ୍ରବେଶ ।

ଦେହେ ମହୋଜ୍ଜ୍ୱଳ ପରିଚ୍ଛଦ, ରତ୍ନ ଉଷ୍ଣୀଷ ଶିରେ,

ରତ୍ନ କଟିବନ୍ଧୁ ଅସି-କୋଷେ ଅସି ଝୁଲେ କଟିରେ ।

ଅଶ୍ୱରୁ ଓହ୍ଲାଇ ପ୍ରଣମିଲା ଯୁବା ନୃପେ ବିନୟେ,

ଶିଶିର ମଣ୍ଡିତ କମଳ ଯେମନ୍ତ ନମେ ମଳୟେ ।

ଜନତାକୁ ବୀର ନତି କଲା ନତ କରି ଉଷ୍ଣୀଷ,

ପ୍ରୀତ ହୋଇ ସର୍ବେ ଉଚ୍ଚ ରବେ ଦେଲେ ଶୁଭ ଆଶିଷ ।

ଜୟନ୍ତକୁ ରଙ୍ଗେ ଦେଖି ରାଜବାଳା ହେଲେ ସ୍ତମ୍ଭିତ,

ବିଦ୍ୟୁତ ଗତିରେ ହୃଦେ ପ୍ରବାହିତ ହେଲା ଶୋଣିତ ।

ମନୁ କରିଥିଲା ନିରାଶେ ପ୍ରଣୟ-ପ୍ରସଙ୍ଗ ଦୂର,

ଏବେ ଅଙ୍କୁରିଲା ହୃଦୟେ ଉଦ୍ଦାମ-ପ୍ରେମ ଅଙ୍କୁର ।

ତନୁ ପୁଲକିଲା ଅଭିନବ ପ୍ରେମ-ମୋହ‌ନ ବଳେ,

ସୁରଞ୍ଜିତ ହେଲା ଅମଳ କପୋଳ ଲାଜ ପାଟଳେ ।

ସେହିକ୍ଷଣି ଚିତ୍ତେ ହର୍ଷେ ଉପୁଜିଲା ଘୋର ବିଷାଦ,

ଶୋକାର୍ତ୍ତେ ଭାଳିଲା ହୃଦଗତେ, "ଆହା ଏ କି ପ୍ରମାଦ !

କେତେ ଯୁବା ଆସି ଅକାରଣେ ପ୍ରାଣ ଦେଲେ ଏ ଦେଶେ,

ଅଶ୍ରୁ ବୁହାଇଲେ କେବଳ ନୟନେ ନ ରୁଚି ଲେଶେ ।

ଏ ରୂପ-ମାଧୁରୀ କାହିଁ ଥିଲା ପୁଣି ଭୁବନେ ଲୁଚି ?

ଥରେ ପିଇ, ଆହା ! ପାରିବ କି ତାହା ନେତ୍ର ମୁରୁଛି ?

ସରଳ ସୁଢଳ ଚାରୁ ବପୁ ଯେହ୍ନେ ଶୋଭା ବିଟପୀ,

କି ମଧୁର ଦିଶେ ଗୌର ଗଣ୍ଡେ କଳା କାନ ଝିଲିପି !

କେଡ଼େ ଶୋହା ଧରେ ଚାରୁ କର୍ଣ୍ଣ‌ଯୁଗେ ବୀର ବଉଳି,

ଶୋଭା ଦେଖିଯିବ ଶତ ମନୋଭବ ଶୋଭା ମଉଳି !

କୃଶ ଶ୍ମଶ୍ରୁ ରେଖା ନବଜାତ ଚାରୁ ଚିବୁକୋପରେ,

ବାଳ କମଳକୁ ବେଢ଼ିଛନ୍ତି ଅବା ଶିଶୁ ଭ୍ରମରେ ।

ବିଧତା ସୌନ୍ଦର୍ଯ୍ୟ ସୃଷ୍ଟିରେ ସାର ଏ ରାଜ କିଶୋର,

ହୋଇ ନ ଥିବଟି କେତେ ରସବ‌ହୀ ହୃଦୟ ଚୋର ।

ପଙ୍କଜାକ୍ଷୀ କେତେ ଭୁବନେ ହେଉ ନ ଥିବେଟି ରଙ୍ଗ,

ମଣ୍ଡିବାକୁ ପ‌ହି ତରୁଣ ତିଳକ ଅଙ୍କ ପଲଙ୍କ ?

ସନ୍ତାପ‌ହାରିଣୀ କେତେ ତରଙ୍ଗିଣୀ ସଂସାରେ ନାହିଁ ?

ମୃଗତୃଷ୍ଣିକାରେ ମନ ଯୁବାମଣି ହେଲା କିମ୍ପାଇଁ ?

ଶୁଣି ତ ଅଛି ଏ ପୂର୍ବ ଅର୍ଥୀଙ୍କର କେତେ ବୃତ୍ତାନ୍ତ,

ଶୁଣି ହେଲା କିମ୍ପା ଏ ଯୁବା ବୟସେ ଜୀବନେ କ୍ଳାନ୍ତ ?

ଏତେ ବୀର ଯୁବା ହାରିଗଲେ ଯହିଁ ତ‌ହିଁ କି ସରି,

ହେବା ଲାଗି ଅବା ଏମନ୍ତ କି ତପ ଅଛି ଆଚରି ?

ମୋ ଛାର ତରୁଣୀ ପାଇଁ ହେଲା ଏଡ଼େ ବାଇ କିପାଇଁ ?

ଏଡ଼େ ଶ୍ଳାଘ୍ୟ ପ୍ରାଣ ବୟରୂପେ ଦେବ ହେଳେ ହରାଇ ।

ଆହା, କାଲି ପ୍ରାଣ ବଞ୍ଚାଇଲା ବନେ ମୋର ଯେ ଜନ,

ଧିକ ଶତ ଧିକ ମୋ ପାଇଁ ଆଜି ସେ ଦେବ ଜୀବନ ।

କେହି ଯେବେ ଆହା ଫେରାଇ ଦିଅନ୍ତା ଯୁବାମଣିକି,

ତା ପାଦେ ଏ ଛାର ପରାଣକୁ ହେଳେ ଦିଅନ୍ତି ବିକି ।

ବୃଥା ମୋ ଆଶାରେ କାଳ ସ୍ୱୟମ୍ବରେ ଦେବାକୁ ମଥା,

ଆଣିଲା ଏହାକୁ ରୂପ ବୈରୀ କେଉଁ ଉପଦେବତା ?

ଅବଳା ସୃଷ୍ଟିକୁ ଜିଣିବା ଆଶ୍ରୟେ କରି ସଙ୍ଖାଳି,

ନ ରଖିଲେ କିମ୍ପା ରୁପାସ୍ତ୍ର ଏ ରୂପ ଦୂରେ ସମ୍ଭାଳି ?

ନୋହିଥିଲେ ଆହା, ଏହି ନିଦାରୁଣ ପଣ-ପ୍ରଚାର,

ଆଦରେ ଏହାକୁ କରନ୍ତି ନିକି ମୁଁ ଗଳାର ହାର ।

ଏ ଗୁଣ ସାଗର ନାଗର ହେଲେ ମୋ ପରାଣ ସଖା,

ହୋଇଯାନ୍ତା ଏହି ମର୍ତ୍ତ୍ୟପୁର ମୋର ପକ୍ଷେ ଅଳକା ।

ଏ ମଲେ ଏହାର ସଙ୍ଗେ ହେବି ମୁହିଁ ମର୍ତ୍ତ୍ୟୁ ଅନ୍ତର,

ଯାହା ଥିବ ଏହା ଭାଗ୍ୟେ, ସେହି ଭାଗ୍ୟ ଧ୍ରୁବ ମୋହର ।

ତେମୁହାଣି ବନେ ଦ୍ୱନ୍ଦ୍ୱଚରେ ମୁହିଁ ବିନ୍ଧିଲି ଦିନେ,

ଶୋଣିତ ପାଟଳ ହୋଇ ଛାଡ଼ିଲା ମୋ ପ୍ରାଣ ପୁଳିନେ ।

ଶୋକେ ଝୁରି ତାର ସଙ୍ଗେ ମଲା ଦ୍ୱନ୍ଦ୍ୱ-ଚର-ତରୁଣୀ,

ବିହି ଅବା ସେହି ଭାଗ୍ୟରେ ମୋହର ଲିହିଛି ପୁଣି !

ବାଜିଣ ଉଠିଲା ଉଚ୍ଚ ରବେ ରଙ୍ଗେ-ଭୂମିରେ ଭେରୀ,

ଉଭା ହେଲେ ଲୋକେ ଉଷା-ଜୟନ୍ତକୁ ଚୌଦିଗେ ଘେରି ।

ଉଚ୍ଚୈଃସ୍ୱରେ ଡାକି ଡକରା ଘୋଷିଲା ପଣ ଉଷାର,

ଗତି ଅନୁକୂଳ ଯହୁଁ ହେବ, ଯହିଁ ଉପସଂହାର ।

ଜୟେ ପରିଣୟ, ପରାଭବେ ପ୍ରେତ-ବସତି-ଲାଭ,

ମହାସୁଖ ମହା ଦୁଃଖ ମଧ୍ୟେ ନାହିଁ ମଧ୍ୟମ ଠାବ ।

ସଙ୍କେତକୁ ଚାହିଁ ପୂର୍ବ ମୁଖେ ଉଭା ହେଲେ ଉଭୟ,

ରମ୍ଭା ପତ୍ର ପ୍ରାୟେ ଉଦ୍‌ବେଗେ ଥରିଲା ବେନି ହୃଦୟ ।

ଜୟନ୍ତ ଏକାଳେ ଶକ୍ତିଧର ପଦେ କଲା ଜଣାଣ,

ଭୋ ଦେବ କୁମାର କର ସେବକ‌କୁ ସଙ୍କଟୁ ତ୍ରାଣ ।

କୃପା- କଟାକ୍ଷରେ କରପାର ପ୍ରଭୁ ସଙ୍କଟେ ପାରି,

ଘେନା ହେଉ ଦିବ୍ୟ ଅବଧାନେ ଦୁଃଖୀ ଜନ ଗୁହାରୀ ।

ହରଶୈଳ କିମ୍ବା ଦେବଗିରି ତୁମ୍ଭ ବିହାର ସ୍ଥଳ,

ଅବତରି ଯହୁଁ ରକ୍ଷାକର ଦାସେ ଦାସ ବତ୍ସଳ !

ଅନ୍ୟେ ଦୃଶ୍ୟ ନୋହି ସ୍କନ୍ଦ ଉଭା ହେଲେ ଭକ୍ତ ଅଗ୍ରତେ,

କ‌ହିଦେଲେ ବୀର ତରିବ ଯେରୁପେ ଦୁରୁହ ବ୍ରତେ ।

ମାନସର ଜାତ ତିନି ସ୍ୱର୍ଣ୍ଣପଦ୍ମ ଦେଇ ତା କରେ,

ଆଦେଶିଲେ ତାକୁ ପଥେ ଫିଙ୍ଗିବାକୁ ଗତି-କାଳରେ ।

ପରୀକ୍ଷାରେ ନିଜ ଭକ୍ତଜନ-ଜୟ ମନାସି ମନେ,

ମୟୁରବାହ‌ନ ନଭେ ବିରାଜିଲେ ମୟୁରାସନେ ।

ସଂଙ୍କେତ-ଆଶାରେ ସ୍ତବ୍‌ଧ ଥିଲେ ଜନେ ଶ୍ରବଣ ଡେରି,

ଭୂପରି ଇଙ୍ଗିତେ ଭୈରବ ବାଜିଲା ସଙ୍କେତ ଭେରୀ ।

ଛନ‌କା ପଶିଲା ଲୋକ ମନେ ଭେରୀ ସଙ୍କେତ ସ୍ୱନେ,

ଦଉଡ଼ିଲେ ରାଜ-କୁମର କୁମାରୀ ଦୃତ ଚରଣେ ।

ଗତି ଦେଖି ଚିତ୍ତେ ଆସଇ, ସାଗର ଲହରୀ ପରେ,

ଦଉଡ଼ିଲେ ବେନି, ନ ଲାଗିବ ପାଣି ମୂଳୁଁ ପୟରେ ।

ପୃଷ୍ଠଦେଶେ ପୃଷ୍ଠ ଛାଡ଼ି ଅତି ଦ୍ରୁତ ଧାବନ ହେତୁ,

ଦିଶେ ବାମା କେଶ, ରଥେ ଯଥା ବେଗ ନିଷ୍କମ୍ପ କେତୁ ।

ସର୍ବେ ମନାସନ୍ତି ଜିଣୁ ରାଜ-ଯୁବା, ହାରୁ ରମଣୀ,

"ଜୟନ୍ତର ଜୟ ହେଉ" ରବେ କମ୍ପୁଅଛି ଅବନୀ ।

କେ କ‌ହିବ ହେଲା କିଏ ସେହି ରବେ ବିଶେଷେ ସୁଖୀ,

ଜୟନ୍ତ କୁମାର କିମ୍ବା ନୁରୁ ଜେମା ଚନ୍ଦ୍ରମାମୁଖୀ ?

ଯେ ଯୁବତୀ ଖର ଗତିବେଳେ ଜିଣି ପାରେ ଅନିଳ,

ସେ କିମ୍ପା କରୁଛି ଠାବେ ଠାବେ ଆଜ ଗତି ଶିଥିଳ ?

ଅତି ଦ୍ରତେ ଧାଇଁ ଜୟନ୍ତର ବ‌ହେ ଖର ନିଶ୍ୱାସ,

ମନେ ମଣୁଅଛି ରାମାକୁ ଜିଣିବା ବୃଥା ପ୍ରୟାସ ।

ତୁଟୁଅଛି କ୍ରମେ ବୀର ମନୁ ବୀର୍ଯ୍ୟ-ସୁଲଭ ଦମ୍ଭ,

ତୁଟୁଅଛି ଆଶା ଆଗେ ଛୁଇଁବାର ମାଣିକ୍ୟ ସ୍ତମ୍ଭ ।

ଦଉଡ଼ି ଦଉଡ଼ି ଅବସନ୍ନ ହୋଇ ଦାରୁଣ ଶ୍ରମେ,

ସୁବର୍ଣ୍ଣ କମଳୁଁ ଫିଙ୍ଗିଲା ଗୋଟିଏ ସର୍ବ ପ୍ରଥମେ ।

ଶୁଭ୍ର ରଜେ ଗଡ଼ି ଗଡ଼ିଣ ଯାଉଛି ପଦ୍ମ ସଘନେ,

ଲୁଚକାଳି କିବା ଖେଳଇ ତାରକା ଶାରଦ ଘନେ ?

ମୁକୁତା କେଶର, ମରକତ ନୀଳ, ହେମ କମଳ,

ଦେଖି ଭୁଷାପ୍ରିୟ ଉଷା ମନ ହେଲା ତୃଷା-ତରଳ ।

ତୋଳି ନେଲା ଗଡ଼ି ଯାଉଥିବା ଫୁଲ ଫୁଲବରଣା,

ଅଳଙ୍କାର ସ୍ପୃହା ଛାଡ଼ି ପାରନ୍ତି କି କେବେ ଅଙ୍ଗନା ।

ଏହି ଅବସରେ ଅଗ୍ରସର ହେଲା ନୃପ ତନୟ,

ହର୍ଷେ ତାଳି ଦେଲେ ମହାକୋଳାହଳେ ଦର୍ଶକଚୟ ।

ପଦ୍ମନେତ୍ରା ନେତ୍ର-ପଲକେ କଲା ସେ କ୍ଷତି ପୂରଣ,

ଯେତେ ପଛେ ଥିଲା ତେତିକି ଆଗକୁ ଗଲା ବ‌ହ‌ନ ।

ପୁଣି ସେହି ରୂପେ କୁମାର ଫିଙ୍ଗିଲା ଅନ୍ୟ କମଳ,

ସେହିରୂପରେ ତାକୁ ତୋଳି ନେଲା ବାଳା ନଇଁ ଭୁତଳ ।

ଅଳ୍ପ ଦୂର ଅଗ୍ରସର ନ ହେଉଣୁ ଯୁବା-ମଉଳି,

ବିଜୁଳି ଗତିରେ ପଛୁଁ ଧରି ନେଲା ମର୍ତ୍ତ୍ୟ ବିଜୁଳି ।

ଲକ୍ଷ୍ୟ ଛୁଇଁବାକୁ ଏବେ ଆଉ ନାହିଁ ବ‌ହୁ ବିଳମ୍ବ,

ଜକ ଜକ ହୋଇ ଅଗ୍ରେ ଝଟକଇ ମାଣିକ୍ୟ ଖମ୍ବ ।

ବିହି କି ଲିହିଛି ଏ କଷଣ ମୋହୋ-ଲ‌ଲାଟ ପଟେ,

ଦେବ ଶକ୍ତିଧର ସାହା ହୁଅ ଏହି ଘୋର ସଙ୍କଟେ ।

ଇଷ୍ଟ ଦେବେ ସ୍ତବି ଏହି ରୂପେ ଯୁବା ଚିନ୍ତା ବିକଳେ,

ତୃତୀୟ କମଳ ମାର୍ଗୁ ବ‌ହୁଦୂରେ ଫିଙ୍ଗିଲା ବଳେ ।

ଦୂରୁ ଆଣିବି କି ନ ଆଣିବି ଫୁଲ ଭାଳି ତରୁଣୀ,

ପ୍ରଲୋଭନେ ପଡ଼ି ଦଉଡ଼ି ଦଉଡ଼ି ନେଲା ତା ପୁଣି ।

କୁହୁକ ଲଗାଇ ଦେଲେ ତ‌ହିଁ ଶୂର କୃତ୍ତିକା ସୁତ,

ତୋଳି ନେବା ବେଳେ କୁମାରୀ ହେଲା ସେ ଭାରୀ ବ‌ହୁତ ।

ସ୍ତୋକମାତ୍ର ଗତି ମଠ ହେଲା ତାର ସେ ଫୁଲ ବ‌ହି,

ସ୍ତମ୍ଭ-ଗାତ୍ର ଆଗେ ପରଶି ଜୟନ୍ତ ହେଲା ବିଜୟୀ ।

ହର୍ଷେ ମାତି ଘନ ଘନ କରତାଳି ଦେଲେ ସକଳେ,

ପୂରିଲା ଦିଗନ୍ତ ଜୟନ୍ତର ଜୟ ଏହି ଚ‌ହଳେ ।

ହରାଇ ନ ହେଲା ଜୟନ୍ତର ମନେ ଯେଉଁ ହରଷ,

ହାରି ଶତଗୁଣେ ତ‌ହୁଁ ହୃଷ୍ଟ ହେଲା ଉଷା ମାନସ ।

ନାନା ଦେଶୁଁ ଆସି ନୁରୁ ରାଜପୁରେ ଦୁରାଶା ଛଳେ,

ଏତେ ରାଜ ସୁତ ଦଗ୍‌ଧ ହେଲେ ଯାର ଜିଗୀଷାନଳେ ।

ଜୟଠାରୁ ତାର ପରାଜୟ ଆଜ ପ୍ରିୟ ଅଧିକ,

ଘଟାଇ ନ ପାରେ କିସ ପୁଣି ପ୍ରେମ ଐନ୍ଦ୍ରଜାଲିକ ?

ପାତ୍ରାଦି ସ‌ହିତେ ସ୍ତମ୍ଭ ପାଶେ ଫେରି ଆସି ରାଜନ,

ସ୍ନେହଭରେ କଲେ ଭାବି ଜାମାତାର ଶିରଶ୍ଚୁମ୍ବନ ।

କୁମାରୀ ସଲଜ୍ଜ ବଦନ ସରୋଜ ଦେଖିଣ ରାୟେ,

ଜାଣିଲେ ଜୟନ୍ତ ଜିଣି ନାହିଁ ଖାଲି ନିଜ ଉପାୟେ ।

ପ୍ରଦୋଷେ ବିବାହ ବିଧି ଆଚରିବା ପାଇଁ ଆଦେଶ,

ଦେଇ ସ୍ୱନବରେ ବିଜେ କଲେ ନୁରୁପୁର ନରେଶ ।

ସ୍ୱୟମ୍ବରେ ଜୟ ଜୟନ୍ତକୁ ଦେଇ ମହା ଉଲ୍ଲାସେ,

ଦେବ ଶକ୍ତିଧର ବାହୁଡ଼ିଲେ ଶିଖିପୃଷ୍ଠେ କୈଳାସେ ।

ବାଦିତ୍ର ଶବଦେ ପ୍ରଦୋଷେ କମ୍ପିଲା ନୁରୁ ନ‌ଗରୀ,

ପ୍ରଦୀପ ମାଳିନୀ ରତ୍ନହାରା, ଯେହ୍ନେ ରାଜ ସୁନ୍ଦରୀ ।

ପଥ ବେନି ପାର୍ଶ୍ୱ ରମ୍ଭା-ତରୂପୂର୍ଣ୍ଣ-କୁମ୍ଭେ ମଣ୍ଡିତ,

ଦ୍ୱାରେ ଦ୍ୱାରେ ହେଲା ରସାଳ ପଲ୍ଲବ ମାଳା ଲମ୍ବିତ ।

ପ୍ରତି ଶୃଙ୍ଗାଟକ ମୁଖରିତ ହେଲା ସଙ୍ଗୀତ ନାଟେ,

ନାଚିଲେ ନର୍ତ୍ତକୀ, ଗାଇଲେ ଗାୟକ, ରଟିଲେ ଭାଟେ ।

ବିବିଧ କୁସୁମ-ଉଷୀର-ଚନ୍ଦନ-ସୌରଭେ ପୂତ,

ପତାକା ଦୋଳାଇ ରଙ୍ଗେ ପ୍ରସରିଲା ସିନ୍ଧୁ ମାରୁତ ।

ସେ ପାରୁତେ ଦୋଳେ ଶତପ୍ରତିବିମ୍ବେ ରଚି ରୁଚିରେ,

ପ୍ରଦୀପମାଳିନୀ ଶ୍ୱେତ ପୋତମାଳା ବଳାଙ୍ଗୀ ନୀରେ ।

ସ୍ଥାନେ ସ୍ଥାନେ ବାଣେ ଫୁଟିଲା ଆଗ୍ନେୟ ପୁଷ୍ପ-ମଞ୍ଜରୀ,

ଚଳ-ତାରାକାରେ ଆକାଶେ ଉଡ଼ିଲା ଦୀପ-ପଞ୍ଜରୀ ।

ବସନ ଭୂଷଣେ ଭୂଷି ଚାରୁ ଅଙ୍ଗ ପୁର-କାମିନୀ,

ନିରୁପମ ରୂପ-ପ୍ରଭାରେ ଉଜ୍ଜଳ କଲେ ଯାମିନୀ ।

ପ୍ରବେସିଲା ଯଥା-କାଳେ ବର-ବେଶେ ବୀର ଜୟନ୍ତ,

ଧରଣୀ ବରିବା ପାଇଁକି ଆସିଲେ ଋତୁ-ବସନ୍ତ ?

ବନ୍ଦାପନା ଅନ୍ତେ ବରକନ୍ୟା ବେଦୀ ମଣ୍ଡିଲେ ଯାଇ,

ଚନ୍ଦ୍ରମା ସଙ୍ଗେ କି ରୋହିଣୀ ବିହରେ ମର୍ତ୍ତ୍ୟେ ଓହ୍ଲାଇ ?

ଚନ୍ଦ୍ରମା-ରୋହିଣୀ ଦର୍ଶନେ ଯେସନ ଫୁଲେ ସାଗର,

ଆନ‌ନ୍ଦେ ସେ ରୂପେ କଲ୍ଲୋଳିଲା ନୁରୁ ରାଜନ‌ଗର ।

ପରିଣୟ ବିଧି ବିଧିରେ ଆଚରି ପୁରୋଧାଗଣ

କୁଶେ କଲେ ବର-ବଧୁଙ୍କର ହସ୍ତ-ଗ୍ରନ୍ଥିବନ୍ଧନ ।

ସେ ପରଶେ ଜାତ ସାତ୍ତ୍ୱିକ ବେନିଙ୍କି କଲା ଅଧିର,

କ୍ରମେ କ୍ରମେ ହସ୍ତୁ ବ୍ୟାପିଲା ସ୍ପନ୍ଦନ ସାରା ଶରୀର ।

ବିନ୍ଦୁ ବିଦୁ ହୋଇ ସ୍ରବିଲା ବଦନ-ଇନ୍ଦୁରୁ ଝାଳ,

ଚେତା ବୁଡ଼ାଇଲା କ୍ରମେ ସେ ସାତ୍ତ୍ୱିକ ଭାବ ଉତ୍ତାଳ ।

ଦେଖି ସଭାଜନେ ମହାବ୍ୟସ୍ତମନେ ବେଢ଼ିଲେ ଯାଇ,

ଚାହୁଁ ଚାହୁଁ ହେଲେ ବେନିଏ ବେଦୀରେ ଅବନୀଶାୟୀ ।

ବ୍ୟସ୍ତେ ଅନୁଚର ବ୍ୟଜନେ ବିଞ୍ଚିଲେ, ସିଞ୍ଚିଲେ ଜଳ,

ମାତ୍ର ଯେତେ କଲେ ଉପଚାର ହେଲା ସବୁ ବିଫଳ ।

ଲବେ ହୋଇଗଲା ବିବର୍ଣ୍ଣ ବେନିଙ୍କ ଲାବଣ୍ୟ ଛାୟା,

କରକା ପରାୟେ ପରଶେ ଶୀତଳ ଲାଗିଲା କାୟା ।

ଲକ୍ଷଣୁଁ ଜାଣିଲେ ପ୍ରାଣ ବିହ‌ଙ୍ଗମ ଗଲାଣି ଚାଲି,

ଚିର ପାଇଁ କରି ଏ ମୃଣୟ ଦେହ ପଞ୍ଜର ଖାଲି ।

ସୁଖେ ପଡ଼େ ପୁଣି ଏଭଳି ବିପାକ ଏଡ଼େ ବେଗରେ !

କେ କ‌ହିବ କାହିଁ ଏ ବଜ୍ର ପଡ଼ିଲା ବିନା ମେଘରେ !

କି ହେଲା ! କି ହେଲା ! ବୋଲି ପଡ଼ିଗଲା ଚୌଦିଗେ ଗୋଳ,

ଆକୁଳ ଜନତା ଅର୍ଣ୍ଣବେ ଉଠିଲା ଶୋକ କଲ୍ଲୋଳ ।

ଶୋକାଘାତେ ହେଲେ ଅଚେତନ ନୁରୁ ନ‌ଗର ସାଇଁ,

ରାଜ ସୁଖ ସଙ୍ଗେ ରାଜ ଶୋକ ଭାଗ୍ୟ ଦେଲା ଭୁଞ୍ଜାଇ ।

ମୂର୍ଚ୍ଛିତ ଦଶାରେ ଭୁପତି ଦେଖିଲେ ସ୍ୱପ୍ନ ଅଦ୍ଭୁତ,

ଅଗ୍ରେ ଉଭା କାଳୀ ବର୍ଣ୍ଣେ ଜିଣି ଘନ କୃଷ୍ଣ ଜୀମୁତ ।

ଜୀମୁତେ ବଳାକା ପ୍ରାୟେ ବକ୍ଷେ ଶୋଭେ ନର-କପାଳ,

ବିଜୁଳି ପରାୟେ ଭୁଜେ ଚମକାଇ ଖଡ଼୍‌ଗ କରାଳ ।

ରାଜାଙ୍କୁ ସମ୍ବୋଧି କ‌ହୁଛନ୍ତି ଦେବୀ, "ଶୁଣ ହେ ବୀର,

ଅକାରଣ ଶୋକେ କିପାଁ କରୁଅଛ ମନ ଅସ୍ଥିର?

ଜନ୍ମ ମୃତ୍ୟୁ ଯେଉଁ ଗୁପ୍ତାଦେଶେ ହେଉ ଅଛି ସର୍ଜନା,

ଥାଉ ଆନ, ତ‌ହିଁ ପଶି ନ ପାରଇ ଦେବ କଳ୍ପନା ।

ଦେବ ହେଲେ ସୁଧା ମୃତ୍ୟୁ ନିବାରଣେ ନାହିଁ ଶକତି,

ଜୀବନ ଯାହାକୁ ବୋଲନ୍ତି, ସେ ସିନା ମୃତ୍ୟୁକୁ ଗତି ।

ଅଜ୍ଞାନେ ଜନମି ମୋହ ଲୟ ଭଜେ ଜ୍ଞାନ ଉଦୟେ,

ଅମୋଘ ଆୟୁଧ ଏକମାତ୍ର ଜ୍ଞାନ ମୋହ ବିଜୟେ ।

ଜନ୍ମ ମୃତ୍ୟୁ ଆଦି ଯାବତ ଘଟଣା ଘଟେ ସଂସାରେ,

ସମସ୍ତ ଗ୍ରଥିତ କାଳ ନିୟନ୍ତ୍ରିତ ନିୟତି ହାରେ ।

ନିୟତି ଫଳରୁ ଜନ୍ମିଥିଲା ଉଷା ଗୃହେ ତୁମ୍ଭର,

ନିୟତି ଫଳରୁ ଜୟନ୍ତ ଆସିଲା ନୁରୁ ନ‌ଗର ।

ଉଷା ସ୍ୱୟମ୍ବରେ ମଲେ ଆସି ଯେତେ ନୃପ ସନ୍ତାନ,

ଅଲଙ୍ଘ୍ୟ ନିୟତି ଶାସନ ସରବେ କଲେ ପ୍ରମାଣ ।

ମନ ଦେଇ ଶୁଣ ରାୟେ କ‌ହିବଇଁ ପୂର୍ବ କାହାଣୀ,

ଏ ଅଦ୍ଭୁତ କଥା ନିଦାନ ଯହିଁରୁ ପାରିବ ଜାଣି ।

ଏହି ଯେ ପଶ୍ଚିମେ ଶୋଭେ ଶୈଳମାଳା ପ୍ରାଚୀରୋପମ,

ପଞ୍ଚଲିଙ୍ଗଶୈଳ ତ‌ହିଁ ମଧ୍ୟେ ଅଟେ ପବିତ୍ରତମ ।

ହର-ମୌଳି-ମାଳା ତ୍ରିପଥଗା ଯହିଁ ଝର ଆକାରେ,

ପଞ୍ଚଲିଙ୍ଗ ଶିରେ ନିରତେ ବ‌ହ‌ନ୍ତି ନିର୍ମଳ ଧାରେ ।

ଦିନେ ଚତୁର୍ଦ୍ଦଶୀ-ନିଶିଯୋଗେ ତ‌ହିଁ ହେଲା ଉତ୍ସବ,

ଅଭିନୟେ କଲେ ଗନ୍ଧର୍ବ ମିଳିଣ ହର-ତାଣ୍ଡବ ।

ହରବେଶେ ଚିତ୍ରରଥ, ତିଳୋତ୍ତମା ପାର୍ବତୀ ବେଶେ,

ପରସ୍ପର ହସ୍ତ ଧରି ନାଚୁଥିଲେ ଭାବ ଆବେଶେ ।

ବାଦିତ୍ର ସଙ୍ଗୀତେ ରତ ଥିଲେ ଆନ ଗନ୍ଧର୍ବମାଳ,

ରୁଦ୍ରତାଳେ ଆଦ୍ରି-ଗୁହା ହେଉଥିଲା ଶବ୍ଦାୟମାନ ।

ବନ‌ଦେବୀ ଦେଖୁ ଥିଲେ ବସି ଲତା ଦୋଳା ତଳପେ,

ସ୍ୱର୍ଗୁ ଦେବତାଏ ଦେଖୁଥିଲେ ସ୍ୱର୍ଣ୍ଣ ମେଘ ମଣ୍ଡପେ ।

ଚୌଦିଗୁ ଆସିଲେ ଦେବୀଏ ସେ ନାଟ ଦେଖିବା ପାଇଁ,

ବୈତରଣୀ ତୀରୁ କୀଚକ ଈଶ୍ୱରୀ ସୋର ଖେଳାଈ ।

ଘଟ ଗ୍ରାମ ଘୋର ଅରଣ୍ୟଚାରିଣୀ ଦେବୀ ତାରିଣୀ,

କେନ୍ଦୁଝର ଦଣ୍ଡ ଦେବୀ ଦଣ୍ଡଧର ତାପ ହାରିଣୀ ।

ସାଳନ୍ଦୀ ସଲିଳେ ଅଭିଷିକ୍ତ ଦେବୀ ଭଦ୍ର କାଳିକା,

ଦପା ନିବାସିନୀ, ଦୈତ୍ୟ ଦର୍ପ‌ହରା, ଦେବୀ ନାୟିକା ।

ଦେବଗିରି ନୀଳ ଶିଖର ମଣ୍ଡନା ମଣ୍ଡଳେଶ୍ୱରୀ,

ଆସିଲେ ସରବେ ସେ ତାଣ୍ଡବେ ପଞ୍ଚଲିଙ୍ଗ ଶିଖରୀ ।

ବଳାଙ୍ଗୀ ତଟରୁ ମୁଁ ଯାଇ ମିଳିଲି ଦେବୀଙ୍କ ସଙ୍ଗେ,

ମୋତେ ଦେଖି ସର୍ବ ଗନ୍ଧର୍ବେ ମାତିଲେ ହାସ୍ୟ ତରଙ୍ଗେ ।

ନିରେଖି ବିକଟ ମୂରତୀ ମୋହର ଘୋର ଦର୍ଶନ,

ଉପ‌ହାସ କଲେ ଏକ‌କୁ ଆରେକ ଠାରି ନୟନ ।

ଅନୁଚରଙ୍କର ଇତର ଆମୋଦ ନ ଦେଇ ବାଧା,

ହସିଲେ ଆପଣେ ଚିତ୍ରରଥ ଲଙ୍ଘି ନିଜ ମର୍ଯ୍ୟଦା ।

ତ୍ରିଲୋକ ମୋହିନୀ ତିଳୋତ୍ତମା ଦେଲା ସେ ହାସ୍ୟେ ଯୋଗ,

କୋପେ କଲି ମୁହିଁ ସେହିକ୍ଷଣି ଅଭିଶାପ ପ୍ରୟୋଗ ।

ସ୍ୱର୍ଗ କଳୁଷିତ କଲ ତୁମ୍ଭେ ଯେଣୁ ରୂପ ଗରବେ,

ମର୍ତ୍ତ୍ୟଲୋକେ ଯାଇ ମର୍ତ୍ତ୍ୟରୂପ ଧରି ରହ ସରବେ ।

ଶାପେ ତ୍ରସ୍ତ ଅଭି-ନେତୃ-ଦଳ ଧରି ମୋର ପୟର,

ଶାପ-ମୁକ୍ତି ପାଇଁ କାତରେ ବିନୟ କଲେ ବିସ୍ତର ।

ବିଶେଷେ ଅପ୍‌ସରୀ ଶିରୋମଣି ହେଲା ଶୋକେ ବିକଳ,

ପ୍ରସ୍ରବଣ ପ୍ରାୟେ ସ୍ରବିଲା କମଳ ନୟନୁ ଜଳ ।

କରୁଣେ ଭଷିଲା, "କର କୃପାମୟୀ ଦାସୀକି ତ୍ରାଣ,

ଲଘୁ ଦୋଷେ ମୋର ଏଡ଼େ ଗୁରୁ ଦଣ୍ଡ କଲ ବିଧାନ ।

ଭବ ବନ୍ଧନର କ୍ଳେଶ ଦେବୀ ମୁହିଁ ଭୋଗିଲି ଥରେ,

ଦୁର୍ବାସାଙ୍କ ଶାପେ ବାଣା କନ୍ୟାରୂପେ ଜନ୍ମି ଦ୍ୱାପରେ ।

ମୋ ଘେନି ମରତେ କେତେ ମହାପ୍ରାଣୀ ତ୍ୟଜିଲେ ପ୍ରାଣ,

ମୋ ପାଇଁ ଘଟିଲା ଯେ ଅନର୍ଥ ତାର ସାକ୍ଷୀ ପୁରାଣ ।

ଧରଣୀବାସୀଙ୍କି କରେ ଯେହୁ ଜ୍ୱର ଜର୍ଜର ଶୋକେ,

ଅଦ୍ୟାପି ତା ପାଇଁ ଅଭିଶାପ ମୋତେ ଦିଅନ୍ତି ଲୋକେ ।

ଶୋକ ଦୁଃଖ ମୋହେ ନିରତେ ସଙ୍କୁଳ ମର୍ତ୍ତ୍ୟ ବସତି,

ଭବବନ୍ଧେ ମୋହେ ଅନ୍ଧ ହୋଇ ପ୍ରାଣୀ ଲଭେ ଦୁର୍ଗତି ।

ସେହି ମର୍ତ୍ତ୍ୟ ସ୍ମୃତି ଅଦ୍ୟାପି ଦେଉଛି ଦୁଃଖ ଅପାର,

କୃପା ବ‌ହି ମାତଃ, ଅଭିଶାପ କର ପ୍ରତିସଂହାର ।

ଦୟା ଉପୁଜିଲା ଶୁଣି ସୁନ୍ଦରୀର କରୁଣ ବାଣୀ,

ବିଶେଷେ ତା ଲାଗି ଅଳି କଲେ ଆସି ଦେବୀ ଇନ୍ଦ୍ରାଣୀ ।

ବାଳୀକି କ‌ହିଲି ‘‘ଶୁଣ ସୁଲୋଚନା, ମୋର ବଚନ,

ଅଳ୍ପ ଦିନପାଇଁ ହେବ ତୋର ମର୍ତ୍ତ୍ୟ ପୁରେ ଗମନ ।

ତୋ ଗୁଣେ ତରିବେ ଅଭିଶାପୁଁ ଏହି ଗନ୍ଧର୍ବମାନେ,

ସମସ୍ତେ ତେଜିବେ ପ୍ରାଣ ଆସି ତୋର ଜନମ ସ୍ଥାନେ ।

ସର୍ବଶେଷେ ତୋର ସଙ୍ଗେ ଚିତ୍ରରଥ ଗନ୍ଧର୍ବପତି,

ଶାପୁଁ ମୁକ୍ତ ହୋଇ ବାହୁଡ଼ି ଆସିବେ ସୁର ବସତି ।

ହସ୍ତ ଧରାଧରି ହୋଇ ବେନି ହେଲ ଶାପରେ ଯୁକ୍ତ,

ହସ୍ତ ସ୍ପର୍ଶ ମାତ୍ରେ ମର୍ତ୍ତ୍ୟେ ବିନି ହେବ ଶାପରୁ ମୁକ୍ତ ।

ବଚନାନ୍ତେ ମୋର ଚାହୁଁ ଚାହୁଁ ସର୍ବେ ଆକାଶେ ବୁଡ଼ି,

ଉଲ୍‌କାକାରେ ଗଲେ ଭାଗ୍ୟ ଅନୁସାରେ ଚୌଦିଗେ ଉଡ଼ି ।

ତିଳୋତ୍ତମା ଆସି ପ୍ରବେଶିଲା ତୁମ୍ଭ ରାଣୀ ଜଠରେ,

ଚିତ୍ରରଥ ନେଲେ ନର-ରୂପ ହେମ ପୁର ନ‌ଗରେ ।

ସେହି ତିଳୋତ୍ତମା ଉଷା, ସେହି ଚିତ୍ର ରଥ ଜୟନ୍ତ,

ପୂର୍ବ- ଉପାଧିରୁ ହୋଇଥିଲେ ଏଡ଼େ ସୌଭାଗ୍ୟବନ୍ତ ।

ପରୀକ୍ଷାରେ ହାରି ପ୍ରାଣ ଦେଲେ ଯେତେ ନୃପ ନନ୍ଦନ,

ସେ ସିନା ଅଟନ୍ତି ଶାପେ ସ୍ୱର୍ଗ ଭ୍ରଷ୍ଟ ଗନ୍ଧର୍ବଗଣ ।

ଦିବ୍ୟଲୋକ ଏବେ ଭଜିଲେ ଏ ବେନି ତ୍ୟଜି ସଂସାର,

ଶୋକ ପରିହରି କର ବେନିଙ୍କର ଯୋଗ୍ୟ ସତ୍କାର ।

ଏହା କ‌ହି ଦେବୀ ନୃପ ସନ୍ନିଧାନୁ ହେଲେ ଉଭାନ,

ମୂର୍ଚ୍ଛାଭଙ୍ଗେ ରାଜା ସଭାରେ କ‌ହିଲେ ସେ କଥାମାନ ।

ସ୍ୱପ୍ନ କଥା ଶୁଣି ବିସ୍ମୟେ ଦେଖିଲେ ସଭାସ୍ଥ - ନର,

ଖେଦେ କୌତୁହଳେ ଅମର ଅମରୀ ଦେହ ପଞ୍ଜର ।

ଶୋଇଛନ୍ତି ବେନି, ବର କନ୍ୟା ବେଶେ ଅବନୀ -ପରେ,

ପଡ଼ିଛି କି ଆହା ! କିଂଶୁକ ଯୋଡ଼ିଏ ବନ ଭିତରେ ।

ଲାବଣ୍ୟ ଝଟକ ଛାଡ଼ି ନାହିଁ ତନୁ ହେଲେହେଁ ଫିକା,

ମୁକ୍ତାହୀନ ହୋଇ ଝଟକେ ନାହିଁ କି ମୁକ୍ତାଶୁକ୍ତିକା ?

ରାଜ-ଅନୁଚରେ ରାଜାଙ୍କ ଛାମୁରୁ ଆଦେଶ ପାଇ,

ବିହିତ ବିଧାନେ କଲେ ଆୟୋଜନ ଅନ୍ତ୍ୟେଷ୍ଟି ପାଇଁ ।

ଉତ୍ସବ -ସକାଶେ ଠୁଳ ହୋଇଥିଲେ ଯେତେ ସମ୍ଭାର,

କିଏ ଜାଣିଥିଲା ଭିନ୍ନ ବ୍ୟବ‌ହାର ହେବ ତାହାର ।

କିଏ ଦେଖିଥଲା ଫିଟାଇ କରାଳ କାଳ-କୁଞ୍ଚିକା,

ବର-ଚତୁର୍ଦ୍ଦୋଳ ବେନିଙ୍କର ହେବ ଶବ ଶିବିକା ?

ବେନିଙ୍କି ବସାଇ ଚତୁର୍ଦ୍ଦୋଳେ ସର୍ବେ ନେଲେ ଶ୍ମଶାନେ,

ପଦବ୍ରଜେ ଗଲେ ରାଜା ସଙ୍ଗେ ରାଜ ଅମାତ୍ୟମାନେ ।

ଉଠିଲା ସଘନେ ଶୋକ ତାନେ ଶୋକ ବାଦ୍ୟ ଚ‌ହଳ,

ଦୀପ ବୃକ୍ଷ ଧରି ଚାଲିଲେ ଭଣ୍ଡାରି ଦଳକୁ ଦଳ ।

ଅଗ୍ରେ ପୁରୋହିତ ଚାଲିଲେ ଗମ୍ଭୀର ବେଦ ଉଚ୍ଚାରି,

ଚତୁର୍ଦ୍ଦୋଳ ବେଢ଼ି ଚାଲିଲେ ପଦାତି ପତାକାଧାରୀ ।

ପୂର୍ବେ ରାଜସୁତେ ହୋଇଥିଲେ ଯହିଁ ପ୍ରାଣେ ଦଣ୍ଡିତ,

ଉତ୍ତରେ ତାହାର ଆଗୁଁ ହୋଇଥିଲା ଚିତା ସଜ୍ଜିତ ।

ତ‌ହିଁ ବିରଚିଲେ ଦେଇ ରାଶି ରାଶି ପୁଷ୍ପ ଚନ୍ଦନ,

ଏ କାଳ ବିବାହେ ବର ବଧୁଙ୍କର ମଧୁଶୟନ ।

ଉଷାର ମୃଗୟା ଅସ୍ତ୍ର, ଶସ୍ତ୍ର, ଢାଲ, ତୂଣୀର, ବର୍ମ,

ପାରିଧିରେ ଲବ୍‌ଧ ପଶୁ ଶୃଙ୍ଗ ଦନ୍ତ ନ‌ଖ ଓ ଚର୍ମ ।

ଶବ ସଙ୍ଗେ ସବୁ ଥୋଇଣ ଚିତାରେ ଘୃତ ଗୁଗ୍ଗୁଳ,

କର୍ପୁର କସ୍ତୁରୀ ରାଶି ରାଶି କଲେ ଉପରେ ଠୁଳ ।

ସମ‌ବେତ ଜନ ନୟନୁ ଝରିଲା ନୀରବେ ନୀର,

ନିର୍ବାତ କାନନେ ପ୍ରାତେ ତରୁ ପର୍ଣ୍ଣେ ଯେହ୍ନେ ଶିଶିର ।

ସ‌ହସା ଅନଳେ ଧକ ଧକ ହୋଇ ଜଳିଲା ଚିତା,

ରକ୍ତ ବ‌ହ୍ନି ଶିଖା ବରଣେ ଜିଣିଲା ବାଳ ସବିତା ।

ରଜନୀର ଗର୍ଭ ଉଜଳି ଉଜଳି ଦିଗ ଗ‌ଗନ,

ଫଣି ଫଣା ପରି ବାତେ ଦୋହଲିଲା ଚିତା ଦହ‌ନ ।

ସ୍ୱନିଲେ ପବନ ଯେହ୍ନେ ନିଶୀଥିନୀ କରୁଣ ସ୍ୱର,

ଝିଲ୍ଲିରବ ପୁଣି କଲା ସେ ଦୃଶ୍ୟକୁ ଗଭୀରତର ।

ଦିଗ ଦିଗନ୍ତର ମୁଖରି ଭୈରବେ ଶୃଗାଳ ରାବ,

କ୍ଷଣେ କ୍ଷଣେ ଭାଙ୍ଗୁ ଥିଲା ସେ ଦୃଶ୍ୟର ନିସ୍ତବ୍‌ଧ ଭାବ ।

ବେନି ତନୁ ହେଲା ଭସ୍ମେ ପରିଣତ ଅଳପ କ୍ଷଣେ,

ନିଭାଇଲେ ଚିତା ପୂତ ପୟୋରାଶି ଢାଳି ଦ‌ହ‌ନେ ।

ନ ପଡ଼ୁଣୁ ଉଷା-ରକ୍ତ-ଛବି ସ୍ୱଚ୍ଛ ବଳାଙ୍ଗୀ ଜଳେ,

ଅନ୍ତ୍ୟେଷ୍ଟି ସମ୍ପାଦି ବାହୁଡ଼ିଲେ ଶୂନ୍ୟ ମନେ ସକଳେ ।

ପୁରେ ପ୍ରବେଶିବା ବେଳେ ଲିଭିଥିଲେ ଗ‌ଗନ ତାରା,

ଉଡ଼ି ଯାଉଥିଲେ ଦେବୀ ଗୃହ ପାରାଭାଡ଼ିରୁ ପାରା ।

ରାଜା ଆଜ୍ଞା ମତେ ଉଷା ଜୟନ୍ତର ସମାଧି -ସ୍ଥାନେ,

ମଣ୍ଡପ ଗଢ଼ଲେ ଶିଳ୍ପିକୁଳ ଆସି ରାଜ ବିଧାନେ ।

ଦୁରୁଁ ଦିଶୁଥିଲା ସେ ମଣ୍ଡପ ହର ଶୈଳକଳପ,

ନୁରୁପୁର ଲୋକେ ବୋଲୁଥିଲେ ତାକୁ ଉଷାମଣ୍ଡପ ।

କୀର୍ତ୍ତିକୀଟ କାଳ କେଉଁ କୀର୍ତ୍ତି ପ୍ରତି ନୁହଇ ବାମ,

ମଣ୍ଡପ ଗଲାଣି କାଳ ଗର୍ଭେ ମାତ୍ର ଅଛି ତା ନାମ ।

Image